ମହିଳା କ୍ରିକେଟ୍‌: ପୁଣି ହାରିଲା ଭାରତ, ହ୍ୟାଟ୍ରିକ୍ ବିଜୟରେ ନ୍ୟୁଜିଲାଣ୍ଡକୁ ସିରିଜ୍

କ୍ୱିନ୍ସଲାଣ୍ଡ,ଏଜେନ୍ସି: ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତୀୟ ମହିଳା ଟିମ୍ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଟିମ୍ ୩ ୱିକେଟ୍‌ରେ ପରାଜିତ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ମହିଳା ସିରିଜ୍‌ରେ ଟିମ୍ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୩ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା, ଯାହା ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର୍ ଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୯.୧ ଓଭର୍‌ରେ ୭ ୱିକେଟ୍ ହରାଇ ୨୮୦ ରନ୍ କରି ବିଜୟୀ ହୋଇଥିଲା। ଏହା ମହିଳା ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍ ଚେଜ୍।

ଟାର୍ଗେଟ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର୍ ସର୍ବାଧିକ ୮୦ ବଲ୍‌ରେ ୬୭ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଲରେନ୍ ଡାଉନ୍ ୫୨ ବଲ୍‌ରେ ୬୪ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ। ସେହିପରି ଏମି ସାଟର୍‌ଥୱେଟ୍ ୭୬ ବଲ୍‌ରେ ୫୯ ରନ୍‌ର ଯୋଗଦାନ କରିଥିବା ବେଳେ କେଟି ମାର୍ଟିନ୍ ୩୫ ଓ ମ୍ୟାଡି ଗ୍ରୀନ୍ ୨୪ ରନ୍ କରିଥିଲେ। ଭାରତ ପକ୍ଷରୁ ଝୁଲନ୍ ଗୋସ୍ୱାମୀ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଦୀପ୍ତି ଶର୍ମା, ରେଣୁକା ସିଂହ, ଏକତା ବିଷ୍ଟ ଓ ସ୍ନେହ ରାଣାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।

ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଦୁଇଟି ଓପ୍ନର୍ ସବଭିନେନି ମେଘନା ଓ ଶେଫାଳୀ ବର୍ମା ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୧୦୦ ରନ୍‌ର ପାର୍ଟନର୍‌ଶିପ୍ ଉଠାଇଥିଲେ। ସବ୍‌ଭିନେନି ୪୧ ବଲ୍‌ରେ ୬୧ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିବା ବେଳେ ଶେଫାଳୀ ୫୭ ବଲ୍‌ରୁ ୫୧ ରନ୍ କରିଥିଲେ। ଏମାନଙ୍କ ବ୍ୟତୀତ ଦୀପ୍ତି ଶର୍ମା ୬୯ ବଲ୍‌ରେ ୬୯ ରନ୍ କରି ଅପରାଜିତ ଥିଲେ। ଏହି ଜିତି ବ୍ୟାଟର୍‌ଙ୍କ ବ୍ୟତୀତ ଭାରତ ପକ୍ଷରୁ କ୍ୟାପ୍‌ଟେନ୍ ମିତାଲି ରାଜ୍ ୨୩, ୟାସ୍ତିକା ଭାଟିଆ ୧୯ ଓ ହରମନ୍‌ପ୍ରୀତ୍ କୌର୍ ୧୩ ରନ୍‌ର ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହନ୍ନା ରୋଭେ ଓ ରୋଜ୍‌ମେରୀ ମାୟର୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ କ୍ୟାପ୍‌ଟେନ୍ ସୋଫି ଡିଭାଇନ୍‌, ଆମେଲିଆ କେର୍‌, ଫ୍ରାନ୍ସିସ୍ ମାକେ ଓ ଏମି ସାଟର୍‌ଥୱେଟ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।