କାନପୁର,ଏଜେନ୍ସି: ସ୍ଥାନୀୟ ଗ୍ରୀନ ପାର୍ଟ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଶନିବାର ତୃତୀୟ ଦିନରେ ଭାରତର ୩୪୫ ରନ୍ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ ୨୯୬ ରନରେ ଅଲଆଉଟ ହୋଇଛି। ଫଳରେ ଘରୋଇ ଟିମକୁ ୪୯ ରନ୍ର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି।
ଭାରତ ପକ୍ଷରୁ ବୋଲିଂ ହିରୋ ରହିଛନ୍ତି ସ୍ପିନର ଅକ୍ଷର ପଟେଲ। କିୱି ଖେଳାଳିଙ୍କୁ ନିଜ ସ୍ପିନ ଜାଲରେ ଫସାଇ ୫ଟି ଶିକାର କରିଛନ୍ତି ଅକ୍ଷର। ଅନ୍ୟତମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୩ଟି ୱିକେଟ ହାତେଇଛନ୍ତି। ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ଓପନର ଟମ ଲାଥମ ୯୫ ଓ ୱିଙ୍ଗ ୮୯ ରନ୍ର ଇଂନିସ ଖେଳିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୧୫୧ ରନ୍ର ଭାଗିଦାରୀ ହୋଇଥିଲା। ତେବେ ଏହାପରେ କିୱି ଟିମର ବ୍ୟାଟିଂ ବିପର୍ୟ୍ୟୟ ଘଟିଥିଲା ।
ଏଥିସହିତ ଭାରତ ତୃତୀୟ ଦିନରେ ନିଜର ଦ୍ୱିତୀୟ ପାଳି ଖେଳ ଆରମ୍ଭ କରିଛି। ଏଥିରେ ଭାରତ ଗୋଟିଏ ୱିକେଟ ସହିତ ୧୪ ରନ୍ କରିଛି। ଶୁଭମାନ ଗିଲ ୧ ରନ କରି ପାଭିଲିୟନ ଫେରିଥିବା ବେଳେ ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୁଜାରା କ୍ରିଜରେ ରହିଛନ୍ତି। ଏହି ୧୪ ରନକୁ ମିଶାଇ ଭାରତ ମୋଟ ୬୩ ରନରେ ଅଗ୍ରଣୀ ରହିଛି।