ଭୁବନେଶ୍ବର,ଏନ୍ଏନ୍ଏସ୍: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡାମାଡ ପରେ ତାଙ୍କର ସୁରକ୍ଷା ବଢ଼ାଯାଇଛି। ଭୁବନେଶ୍ବର ଆଚାର୍ଯ୍ୟବିହାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ଆଜି ସାଂସଦଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଛି।
ସାଂସଦଙ୍କୁ ଆଚାର୍ୟ୍ୟ ବିହାରରେ ବିରୋଧ ପରେ ଆଶଙ୍କା କରି ସୁରକ୍ଷା ଯୋଗାଇଛି ପୁଲିସ। ଏନେଇ ସାଂସଦଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏୟାରଫିଲଡ ଭୀମଟାଙ୍ଗିରୁ ନୟାପଲ୍ଲୀ ବେହେରା ସାହି ପର୍ଯ୍ୟନ୍ତ ସାଂସଦଙ୍କ ପଦଯାତ୍ରା ବେଳେ ୧ ପ୍ଲାଟୁନ ଫୋର୍ସ ପୁଲିସ ମୁତୟନ କରାଯାଇଛି। ପୁଲିସ ଉପସ୍ଥିତି ସତ୍ତ୍ବେ ଦୁଇଟି ସ୍ଥାନରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ପୁଲିସ ଉପସ୍ଥିତି ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ହୋଇଛି। ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ସୁରକ୍ଷା ନେଇ କେନ୍ଦ୍ରର ସହଯୋଗ ଲୋଡିଥିଲେ। ଏନେଇ ମିଳିଥିବା ସୂଚନା ଅନୁସାରେ ପୁଲିସକୁ ଏନେଇ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ରହିଛି।
ବିଗତ ଦୁଇଦିନ ଧରି ପରିସ୍ଥିତିକୁ ନଜରରେ ରଖି ସାଂସଦଙ୍କ କାର୍ଯ୍ୟକ୍ରମ ଓ ଗସ୍ତକୁ ନେଇ ପୁଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଉଛି। ସୂଚନାଥାଉ କି ରାଜ୍ୟରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ ବ୍ୟାପକ କରାଯାଉଛି। କେତେବେଳେ ବିଜେପି ନେତାଙ୍କୁ ଅଣ୍ଡାମାଡ କରାଯାଉଛି ତ କେତେବେଳେ ବିଜେଡି ନେତା ମନ୍ତ୍ରୀଙ୍କୁ ଅଣ୍ଡାମାଡ କରାଯାଉଛି। ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ କାରକେଡକୁ ଅଣ୍ଡାମାଡ ଘଟଣା ପରେ ରାଜ୍ୟରେ ରାଜନୀତି ତେଜିବାରେ ଲାଗିଛି।