ଦିଲ୍ଲୀ ଓ ମୁମ୍ବାଇରେ ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେସନ୍‌, ଆଜି ଓ ଆସନ୍ତାକାଲି ପାଇଁ ଜାରି ହେଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚଳିତବର୍ଷ ରାଜ୍ୟ ତଥା ଦେଶର ପ୍ରାୟ ସବୁସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଜିରୋ ନାଇଟ୍‌ ଓ ନୂଆ ବର୍ଷ ସେଲିବ୍ରେସନ୍‌ ଉପରେ ପ୍ରତିବନ୍ଧକ ଲାଗିଛି।

ବହୁ ଲୋକ ଏକ ସ୍ଥାନରେ ଏକତ୍ର ହୋଇ ଏହି ଜିରୋ ନାଇଟ୍ ସେଲିବ୍ରେସନ୍‌ କରିଥାନ୍ତି। ଫଳରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଆଜିଠୁ ଦିଲ୍ଲୀ ଓ ମୁମ୍ବାଇରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି। ଏଣୁ ଏବେ ସାର୍ବଜନୀନ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହା ବ୍ୟତୀତ ୩୧ ଡିସେମ୍ବର ରାତି ୧୧ଟା ଠାରୁ ୧ ଜାନୁଆରୀ ସକାଳ ୬ଟା ପର୍ଯ୍ୟନ୍ତ ଓ ୧ ଜାନୁଆରୀ ରାତି ୧୧ଟାରୁ ୨ ଜାନୁଆରୀ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସାର୍ବଜନୀନ ସ୍ଥାନରେ ସଭାସମିତି, ପାର୍ଟି ଆଦିକୁ ବାରଣ କରାଯାଇଛି।