ଦୁବାଇରୁ ଭାରତ ସ୍ଥାନାନ୍ତରଣ ହେଲା ଗ୍ୟାଙ୍ଗଷ୍ଟର ସୁଖ୍‌ ବିକ‌ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ପଞ୍ଜାବରେ ଟାର୍ଗେଟ କିଲିଂ କରାଉଥିବା ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ସୁଖ୍‌ ବିକ‌ରିୱାଲକୁ ଦୁବାଇରୁ ଭାରତ ସ୍ଥାନାନ୍ତରଣ କରାଯାଇଛି। ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ବିକରିୱାଲକୁ ଚଳିତ ମାସରେ ଦୁବାଇରେ ଅଟକ ରଖାଯାଇଥିଲା। ଭାରତୀୟ ସୁରକ୍ଷା ସଂସ୍ଥା ବିକ୍‌ରିୱାଲକୁ ଆଣି ଆଜି ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀ ସ୍ପେଶାଲ ସେଲ୍‌ ଟିମ୍‌ ତା’କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଚଳିତମାସ ପ୍ରାରମ୍ଭରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ବିକ‌ରିୱାଲ ସାମ୍ନାକୁ ଆସିଥିଲା। ଦିଲ୍ଲୀ ପୁଲିସ ଗିରଫ କରିଥିବା ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପଞ୍ଜାବରେ ପୁଲିସ ଅଧିକାରୀ ବଲବିନ୍ଦର ସନ୍ଧୁଙ୍କୁ ହତ୍ୟା କରିଥିଲେ। ସନ୍ଧୁଙ୍କୁ ହତ୍ୟା କରିବା ଲାଗି ସୁଖ୍‌ ବିକ‌ରିୱାଲ ଦୁବାଇରୁ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କୁ ନିର୍ଦେଶ ଦେଇଥିବା ସେମାନେ ପଚରାଉଚରା ବେଳେ ସ୍ୱୀକାର କରିଥିଲେ। ବିକ‌ରିୱାଲ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ସେମାନଙ୍କୁ ଏହି ଆଦେଶ ଦେଇଥିବା ଜଣାପଡ଼ିଥିଲା।

ଦୁବାଇରେ ରହୁଥିବା ସମୟରେ ବିକରିୱାଲ ନିଜର ବେଶ ବଦଳାଇ ଦେଇଥିଲା। ଦିଲ୍ଲୀରେ ଧରାପଡ଼ିଥିବା ଆତଙ୍କବାଦୀମାନଙ୍କ ଠାରୁ ବିକରିୱାଲ ସମ୍ପର୍କରେ ସୂଚନା ପ୍ରାପ୍ତକରି ଦୁବାଇସ୍ଥିତ ଫ୍ଲାଟରୁ ତା’କୁ ଗିରଫ କରାଯାଇଥିଲା।