ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି: ଆସନ୍ତା ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ,ଏନ୍ଏନ୍ଏସ୍: ପୁଣି ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆସନ୍ତା ୨୧ ଦିନ ଅର୍ଥାତ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ। କରୋନା ସଂକ୍ରମଣର ଦ୍ରୁତଗତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ସେବାୟତଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା। ବୈଠକ ପରେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି କରାଯାଇଛି। ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ପୂର୍ବବର୍ଷ ଭଳି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ମେ’ ୧୫ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଏଥିସହିତ ବୈଠକରେ ସେବାୟତଙ୍କୁ ଆର୍ଥିକ ସହାୟତା ନେଇ ଦାବି ମଧ୍ୟ ଉଠିଛି। ତେବେ ନିଷ୍ପତ୍ତି ଅନୁଯାୟୀ ସେବାୟତ ପରିବାର ଲୋକଙ୍କ ହେଲଥ ସ୍କ୍ରିନିଂ ହେବ।

ସେହିପରି କରୋନା ସଂକ୍ରମିତ ସେବାୟତଙ୍କ ଚିକିତ୍ସା ପାଇଁ ଅଧିକ କୋଭିଡ କେୟାର ସେଣ୍ଟର ଖୋଲାଯିବ। ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତି କରୁଥିବା ସେବାୟତଙ୍କୁ କୋଭିଡ ଟିକା ଦିଆଯିବ। ସେହିପରି ରଥଯାତ୍ରା, ସ୍ନାନଯାତ୍ରା ଓ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଗଣାରେ ମାସ୍କ, ସାନିଟାଇଜର ଯୋଗାଇ ଦିଆଯିବ। ଆଗକୁ ରଥଯାତ୍ରା ଥିବାରୁ ଏହି ସତର୍କତା ବ୍ୟବସ୍ଥା ହୋଇଛି। ପୁଣି ଆସନ୍ତା ମାସ ୬ ତାରିଖରେ ଆଉ ଏକ ସମୀକ୍ଷା ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି।