ଲାଗୁହେବ ନୂଆ ନିୟମ, ସାବାଡ଼ ହେବେ ଜମି ଦଲାଲ

ନୂଆଦିଲ୍ଲୀ: ମନମୋହନ ସିଂହ ସରକାର ସମୟରେ ଅଗଷ୍ଟ ୨୧, ୨୦୦୮ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏକ ଯୋଜନାକୁ ମଞ୍ଜୁରି ଦେଇଥିଲା। ଜମିଗୁଡ଼ିକୁ ଡିଜିଟାଲଇଜେସନ କରିବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସରକାର ବେଆଇନ ଜମି ବିକ୍ରି ଉପରେ ରୋକ ଲଗାଇବାକୁ ଲକ୍ଷ୍ୟ ରଖିଥିଲେ। ୨୦୨୧ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଏବେ କେନ୍ଦ୍ରର ମୋଦି ସରକାର ଏଥିରେ କିଛି ଆବଶ୍ୟକୀୟ ସଂଶୋଧନ କରି ୨୦୨୩-୨୪ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ଏହି ଅବଧି ମଧ୍ୟରେ ଜମିଗୁଡ଼ିକୁ ଆଧାର ନଂ. ସହିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲଆରଏମ୍) ଜରିଆରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଏଥିରେ ଅନେକ ଅଗ୍ରଗତି ହୋଇଛି। ଏହି ଯୋଜନାକୁ ଲାଗୁ କରିବା ପୂର୍ବରୁ ଆବଶ୍ୟକ ଥିବା ମୌଳିକ ଲକ୍ଷ୍ୟ ହାସଲ ହୋଇସାରିଛି। କିନ୍ତୁ ରାଜ୍ୟଗୁଡ଼ିକ ଏପର୍ଯ୍ୟନ୍ତ ଏଦିଗରେ ଆଗେଇ ପାରିନାହାନ୍ତି। ତେଣୁ ଆଗାମୀ ଦିନରେ ଜାତୀୟ ସାଧାରଣ ଡକ୍ୟୁମେଣ୍ଟ ପଞ୍ଜିକରଣ ପ୍ରଥା (ଏନଜିଡିଆରଏସ) ଏବଂ ୟୁନିକ ଲ୍ୟାଣ୍ଡ ପାର୍ସଲ ଆଇଡେଣ୍ଟିଫିକେସନ ନଂ. (ୟୁଏଲପିଆଇଏନ) ଲାଗୁ ହେବ। ଏଭଳି ନିୟମ ଲାଗୁ କରାଯାଇ ଜମିର ସମସ୍ତ ରେକର୍ଡକୁ ସଂଯୋଗ କରାଯିବ। ଏହାଦ୍ୱାରା ଜମିର ବଜାର ମୂଲ୍ୟ, ପୂର୍ବ ମାଲିକାନା ଓ ପଞ୍ଜିକରଣକୁ ଯୋଡିହେବ। ଏହାଦ୍ୱାରା ଜଣେ ଜମି କିଣିବାବେଳେ ଜାଣିହେବ, ସେହି ଜମିକୁ ନେଇ କିଛି ଆଇନଗତ ବିବାଦ ରହିଛି କି, ଏଭଳି ଜଣାପଡ଼ିଲେ ଜଣେ ଗ୍ରାହକ ଆଉ ଠକିବନି। ଜମି କାରବାରବେଳେ ସ୍ୱଚ୍ଛତା ଆସିପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି।