ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି ଡେଲଟା ପ୍ଲସ ଭାରିଆଣ୍ଟ

  • ନୂଆଦିଲ୍ଲୀ: ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ ସାରାଦେଶରେ ଏବେ ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ୫୧ରୁ ଅଧିକ ଲୋକ ଏହି ଭାରିଆଣ୍ଟର ଶିକାର ହୋଇଛନ୍ତି। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। କୋଭିଡ ବାବଦରେ ଗବେଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନିଜେସନର ମୁଖ୍ୟ ଡାକ୍ତର ଏନକେ ଆରୋରା କହିଛନ୍ତି, ଏହି ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି। କୋଭିଡର ଅନ୍ୟ ମ୍ୟୁଟାଣ୍ଟ ତୁଳନାରେ ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସରେ ଥିବା ମ୍ୟୁକୋସାଲ ଲିନିଂକୁ ଅଧିକ ସଂକ୍ରମଣ କରୁଛି। ସେ ଆହୁରି କହିଛନ୍ତି, ଏହା ଫୁସଫୁସରେ ଥିବା ମ୍ୟୁକୋସାଲ ଲିନିଂକୁ ସଂକ୍ରମଣ କରୁଥିଲେ ମଧ୍ୟ ଏହା କେତେ ମାରାତ୍ମକ ବା ଏହା କେତେ ମାତ୍ରାରେ ପ୍ରଭାବ ପକାଇବ ବା ଅନ୍ୟ ଜଣଙ୍କୁ ସଂକ୍ରମଣ କରିପାରିବ ସେ ବାବଦରେ ଏବେ କିଛି କହିହେବନି। ପିଟିଆଇକୁ ପ୍ରତିକ୍ରିୟା ଦେଇ ସେ ସ୍ପଷ୍ଟ କରିଛନ୍ତି ଯଦି ଜଣେ ଟିକାର ଗୋଟିଏ ଡୋଜ କିମ୍ୱା ଦୁଇଟି ଯାକ ଡୋଜ ନେଇଥିବେ ସେମାନଙ୍କ ପାଖରେ ଏହି ସଂକ୍ରମଣ ଏତେ ଗୁରୁତର ହେବନି। ଏମିତିକି ଏହି ଡେଲଟା ପ୍ଲସ ଜଣଙ୍କୁ ସଂକ୍ରମିତ ହୋଇଥିଲେ ବି ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖିବାକୁ ନମିଳିପାରେ।