୨୦୨୧ ଆଇପିଏଲ୍‌ ପାଇଁ ବିସିସିଆଇର ଯୋଜନା; ୯ଟି ଦଳ ଓ ସମ୍ପୂର୍ଣ୍ଣ ଖେଳାଳି ନିଲାମ

ଦୁବାଇ,ଏଜେନ୍ସି: ୨୦୨୦ର ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂସ୍କରଣ ସମାପ୍ତ ହୋଇଯାଇଛି। ପ୍ରଥମଥର ଫାଇନାଲ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍‌ସକୁ ସହଜରେ ହରାଇ ମୁମ୍ବଇ ଇଣ୍ଡିଆନ୍‌ସ ୫ମ ଥର ଚମ୍ପିଆନ ଟାଇଟଲ ହାସଲ କରିଛି। ରିପୋର୍ଟରୁ ପ୍ରକାଶ ଯେ ଆସନ୍ତାବର୍ଷ ୨୦୨୧ ସଂସ୍କରଣ ପୂର୍ବରୁ ସମ୍ପୂର୍ଣ୍ଣ ଖେଳାଳି ନିଲାମ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ୨୦୨୧ ଆଇପିଏଲ ମ୍ୟାଚରେ ୯ମ ଦଳ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ଯୋଗୁଁ ୟୁଏଇରେ ତାହା ପୁଣି ବିନା ଦର୍ଶକରେ ଆଇପିଏଲ୍‌ ଆୟୋଜନ କରିବା ଯୋଗୁଁ ବିସିସିଆଇର ବେଶ୍‌ ଆର୍ଥିକ କ୍ଷତି ହୋଇଛି। ଏହା ଭରଣ କରିବାକୁ ୯ମ ଦଳ ସାମିଲ କରିବାକୁ ବିସିସିଆଇ ଯୋଜନା କରିଛି। ଏପରି ହେଲେ ଆର୍ଥିକ ସନ୍ତୁଳନ ହୋଇପାରିବ। ପୁଣି ୯ମ ଦଳ ସାମିଲ ହେବାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ଖେଳାଳି ନିଲାମ ନିଶ୍ଚୟ ହେବ। ଅର୍ଥାତ୍ କୌଣସି ଫ୍ରାଞ୍ଚାଇଜି କିଛି ଖେଳାଳିଙ୍କୁ ରଖିପାରିବେ ନାହିଁ। ନୂତନ ଆଇପିଏଲ୍‌ ଫ୍ରାଞ୍ଚାଇଜି ହାସଲ କରିବା ଲାଗି ଖୁବ୍ ଶୀଘ୍ର ବିସିସିଆଇ ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ଯାହା ଶୁଣିବାକୁ ମିଳିଛି; ନୂଆ ଫ୍ରାଞ୍ଚାଇଜିର ଘରୋଇ ସହର ଅହମ୍ମଦାବାଦ ହେବ।

ଅହମ୍ମଦାବାଦ ସହରର ମୋଟେରା ଷ୍ଟାଡିୟମ୍‌ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ ଏବଂ ଏଠାରେ ୧,୧୦,୦୦୦ ଦର୍ଶକ ବସିପାରିବେ। ପୁଣି ଅହମ୍ମଦାବାଦର ଫ୍ରାଞ୍ଚାଇଜି ହାସଲ କରିବା ଲାଗି ଦେଶର ବହୁ ନାମୀ ବ୍ୟାବସାୟିକ ସଂସ୍ଥା ଆଗ୍ରହୀ ଅଛନ୍ତି ଏବଂ ବିସିସିଆଇକୁ ଏହା ଜଣାଇ ଦେଇଛନ୍ତି ମଧ୍ୟ। ତେବେ ଗୋଟିଏ ବ୍ୟାବସାୟିକ ସଂସ୍ଥା ଅହମ୍ମଦାବାଦ ଫ୍ରାଞ୍ଚାଇଜିର ମାଲିକାନା ପାଇବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍‌ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ ଲାଗି ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।