ଦିଲ୍ଲୀରେ ନୂଆ ଗାଇଡଲାଇନ୍ ଜାରି, ଏହି ୨ ରାଜ୍ୟରୁ ଆସିଲେ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେଜ୍ରିୱାଲ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଦିଲ୍ଲୀ ଆସିଲେ ୧୪ ଦିନିଆ ସଂଗରୋଧରେ ରହିବାକୁ ହେବ। ଏଥି ପାଇଁ ସରକାର ସଂଗରୋଧ ସୁବିଧା କରିଛନ୍ତି। ଯେଉଁମାନେ ଟିକାର ଉଭୟ ଡୋଜ ନେଇଛନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ହେବ। ଯେଉଁ ଯାତ୍ରୀମାନଙ୍କ ପାଖରେ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ, ସେମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଗୃହ ସଂଗରୋଧ ସୁବିଧା ନଥିବ, ସରକାର ତାହା ଉପଲବ୍ଧ କରାଇବେ। ଏଥି ପାଇଁ ଟଙ୍କା ଦେବାକୁ ପଡ଼ିବ।

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଲୋକେ ବସ, ଟ୍ରେନ, କାର, ଟ୍ରକ ଓ ବିମାନରେ ଦିଲ୍ଲୀ ଆସୁଛନ୍ତି। ତେଣୁ ସମସ୍ତଙ୍କୁ ଏହି ନିୟମ ମାନିବାକୁ ପଡ଼ିବ ବୋଲି କେଜ୍ରିୱାଲ କହିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ ଦେଖାଯିବା ପରେ ଦିଲ୍ଲୀ ସରକାର ଏହି ଆଦେଶ ଜାରି କରିଛନ୍ତି।