କ.ନୂଆଗାଁ,ଏନ୍ଏନ୍ଏସ୍: ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଓଡ଼ିଶାର କାର୍ଯ୍ୟ ବନ୍ଦ ଡାକରାରେ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ କ.ନୂଆଗାଁ ବ୍ଲକ୍ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗଣଧାରଣା ୪ର୍ଥ ଦିନରେ ପହଞ୍ଚିଛି । ବ୍ଲକ୍ ସଭାପତି ବୁଲୁ କୁମାର ନାୟକଙ୍କ ନେତୃତ୍ୱରେ ଉପସଭାପତି ଶାନ୍ତନୁ କୁମାର ସାହାଣୀ, ସମ୍ପାଦକ ରାକେଶ କୁମାର କୋଠଦଳାଇ, ପ୍ରଦୀପ କୁମାର କୋଠଦଳାଇ, ପ୍ରଦୀପ କୁମାର ପ୍ରଧାନ, ସସ୍ମିତା ରାଣୀ ନାୟକ, ରାଘବ ଦିଗାଲ ଓ ମନୋଜ ବିଶିମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ୩ ଦଫା ଦାବୀ ମଧ୍ୟରେ ପ୍ରାଥମିକ ଶିକ୍ଷାରୁ ଠିକା ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ, ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ବହୁଭାଷୀ ଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ ୯ ଗ୍ରେଡ ପେ ୪,୨୦୦ ଅନୁଯାୟୀ ପ୍ରଦାନ କରିବା । ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଭଳି ଦାବୀ ରହିଛି । ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତୀକ ଧାରଣା ଯୋଗୁ ଜିଲ୍ଲାରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।