ନୂତନ ନ୍ୟାୟାଳୟ କୋଠା ଉଦଘାଟିତ

ଦେବଗଡ଼, ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ ଆଜି ନୂତନ ନ୍ୟାୟାଳୟ କୋଠା ଉଦଘାଟିତ ହୋଇଯାଇଛି । ହାଇକୋର୍ଟରୁ ମୁଖ୍ୟ ବିଚାରପତି ଜଷ୍ଟିସ ସେକ ରଫିକ ଅହମ୍ମଦ ଭିଡିଓ କନଫରେସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ଅନ୍ୟତମ ବିଚାରପତି ଜଷ୍ଟିସ ମିସ ସାବିତ୍ରୀ ରଥ ଉପସ୍ଥିତ ରହି ଏହା ଜିଲ୍ଲାବାସୀଙ୍କୁ ତ୍ୱରିତ ନ୍ୟାୟ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ୟ୍ୟ, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଗୁରୁ, ସମ୍ପାଦକ ସିଦ୍ଧେଶ୍ୱର ଗୁରୁ ଓ ରୁଦ୍ରମଣି ବେହେରା ପ୍ରମୁଖଙ୍କ ସମେତ ବହୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୧୯୯୪ ଜାନୁଆରୀ ପହିଲାରେ ଦେବଗଡ଼କୁ ଜିଲ୍ଲା ମାନ୍ୟତା ମିଳିଥିଲେ ମଧ୍ୟ ଦୀର୍ଘ ୨୪ ବର୍ଷ ଧରି ପୁରୁଣା କୋର୍ଟ ବିଲଡିଂଠାରେ ସମସ୍ତ ଅଦାଲତ କାର୍ୟ୍ୟ ହେଉଥିଲା। ଜିଲ୍ଲାରେ ଥିବା ସମସ୍ତ ଅଦାଲତ ଗୁଡ଼ିକରେ ମାମଲା ସଂଖ୍ୟା ବଢ଼ି ଚାଲିଥିବାବେଳେ ସମସ୍ତ ଅଦାଲତରେ ସ୍ଥାନାଭାବ ସମସ୍ୟା ଉପୁଜୁଥିଲା । ନୂତନ ନ୍ୟାୟାଳୟ ପରିସର ଉଦଘାଟନ ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲା ଜଜ ଶ୍ରୀ ଆଚାର୍ୟ୍ୟ ପ୍ରକାଶ କରିଥିଲେ।