ଦେଓଗାଁରେ କୃଷି ବୀମା ପ୍ରଦାନରେ ଅନିୟମିତତା, ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ଦେଓଗାଁ,ଏନ୍ଏନ୍ଏସ୍: କୃଷି ବୀମା ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଆଜି ୨୪ଟି ପଞ୍ଚାୟତର ଚାଷୀ ଏକତ୍ର ହୋଇ ଦେଓଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ୨୦୧୯ରେ ଧାନ ଚାଷର ବୀମା ଟଙ୍କା ଦେବାରେ କର୍ତ୍ତୃପକ୍ଷ ଟାଳଟୁଳ ନୀତି କରୁଛନ୍ତି। ଏନେଇ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଥିବାବେଳେ ବୀମାର ଉପଯୁକ୍ତ କ୍ଷତି ପୂରଣ ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଦେଓଗାଁ ବ୍ଲକର ପୂର୍ବ ଅଧକ୍ଷ ଲକ୍ଷ୍ମଣ ମେହେର, ୧୨ନମ୍ବର ଜିଲ୍ଲା ପରିଷଦ ଜୋନର ସଦସ୍ୟ ସୁଶିଲ ଚାନ୍ଦ, ବ୍ଲକ ଅଧ୍ୟକ୍ଷା ରୀନା ମୋହେରଙ୍କ ନେତୃତ୍ୱରେ ବ୍ଳକର ୨୪ ପଞ୍ଚାୟତରୁ ଶତାଧିକ ଚାଷୀ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନ କରିଥିଲେ। ଏଥିସହିତ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ସୁଧାକର ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ୨୦୧୯ରେ ଦେଓଗାଁ ବ୍ଳକରେ ଧାନ ଚାଷ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ମାତ୍ର ୨ଟି ପଞ୍ଚାୟତ (କୁତୁର୍ଲା ଓ ହାତୀସରା)ର ୪୩୦ଜଣ ଚାଷୀ ୧ କୋଟି ୧୮ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଛନ୍ତି। ଅବଶିଷ୍ଟ ୨୪ଟି ପଞ୍ଚାୟତର ହଜାର ହଜାର ଚାଷୀ ସମ୍ପୂର୍ଣ୍ଣ ଭାବେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି।

ବଞ୍ଚିତ ଚାଷୀଙ୍କୁ କ୍ଷତି ପୂରଣ ଦେବାରେ ଅଯଥା ବିଳମ୍ବ କରାଯାଉଛି ଯାହା ଦ୍ଵାରା ଋଣ ଗ୍ରସ୍ତ ଓ ଉଦ୍ଧାରି ଆଣି ଚାଷ କରିଥିବା ଚାଷୀ ଆର୍ଥିକ ଅନାଟନର ସମ୍ମୁଖୀନ ହେଉଛି। ତେଣୁ ତୁରନ୍ତ ବୀମା ରାଶି ଦେବା ଦେବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି ଯେ, ୨୬ଟି ପଞ୍ଚାୟତରୁ ୨୪ ପଞ୍ଚାୟତ ବାସି ବୀମା ରାଶି ପାଇନଥିବା ଏକ ଗୁରୁତର କଥା, ତେବେ କେଉଁ ପରିସ୍ଥିତିରେ ଏଭଳି ଅବହେଳା ହୋଇଛି ତାର ତଦନ୍ତ କରାଇବା ସହ ଦାବିପତ୍ରକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।