ଯୌତୁକ ପାଇଁ ନବବଧୂକୁ ନିଆଁରେ ପୋଡି ହତ୍ୟା, ଥାନାରେ ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅଞ୍ଚଳରେ ଜଣେ ୨୦ ବର୍ଷୀୟା ନବବଧୂକୁ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ନିଆଁରେ ପୋଡି ହତ୍ୟା କରିଥିବା ମୃତକାଙ୍କ ମାଁ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ସୁପଶି ଗ୍ରାମର ଲାଲମୋହନ ବାଘଙ୍କ ଝିଅ ଫୁଲ ବାଘ(୨୦)ଙ୍କୁ ଗତ ୨୦୨୦ ମସିହା ଫେବୃଆରୀ ୧୯ ତାରିଖରେ ରଙ୍ଗମାଟିଆ ଗ୍ରାମର ସ୍ୱର୍ଗତ ଦେବେନ୍ଦ୍ର ବୁଡାଙ୍କ ପୁଅ ରତ୍ନାକର ବୁଡା ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ସମୟରେ କନ୍ୟାଘର ପକ୍ଷରୁ ଯଥାସାଧ୍ୟ ଘର ଚଳନୀୟ ଜିନିଷ ପ୍ରଦାନ କରାଯାଇଥିଲା। ବିବାହର ଏକ ମାସ ପରେ ପରେ ସ୍ୱାମୀ ରତ୍ନାକର ଓ ଶାଶୂ ବିଳାସିନୀ ବହୁ ଫୁଲକୁ ଯୌତୁକ ଦାବିରେ ନିର୍ଯାତନା ଦେବା ସହ ଗର୍ଭ ନଷ୍ଟ ପାଇଁ ବାଧ୍ୟ କରୁଥିଲେ। ମାତ୍ର ଫୁଲ ଏଥିରେ ରାଜି ନ ହେବାରୁ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ଫୁଲକୁ ଶାଶୁ ଘର ଲୋକେ ଘରୁ ବାହାର କରି ଦେଇଥିଲେ। ଫଳରେ ଗର୍ଭବତୀ ଫୁଲ ନିଜ ମାଁ ଘରକୁ ଫେରି ଆସିଥିଲେ। ଅକ୍ଟୋବର ୨୧ ତାରିଖ ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଖୀ”ର ମଧ୍ୟସ୍ଥତାରେ ଦେବଗଡ଼ ଥାନାରେ ଏକ ଚୁକ୍ତି କରି ସ୍ୱାମୀ ରତ୍ନାକର ସ୍ତ୍ରୀ ଫୁଲକୁ ନିଜ ଘରକୁ ନେଇଯାଇଥିଲେ। ମାତ୍ର କିଛି ଦିନ ବ୍ୟବଧାନ ପରେ ପୁନର୍ବାର ରତ୍ନାକର ଓ ଶାଶୁ ବିଳାସିନୀ ଫୁଲକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ।

ଗତ ଫେବୃଆରୀ ୩ ତାରିଖ ଦିନ ଝିଅ ଫୁଲ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇ ଫୁଲ ଏବଂ ମାଆ ନଳିତା ବାଘ ଓ ବାପା ଲାଲ ମୋହନ ଦେବଗଡ଼ ଡାକ୍ତରଖାନା ଆସି ଦେଖିବା ବେଳକୁ ଝିଅର ଶରୀରର ସମ୍ପୂର୍ଣ୍ଣ ପୋଡିଯାଇଛି। ପଚରାଉଚୁରା କରିବା ପରେ ଝିଅକୁ ଯୌତୁକ ପାଇଁ ନିଆଁରେ ପୋଡିଦେଇଥିବା ଜାଣାପଡ଼ିଥିଲା। ଗୁରୁତର ଝିଅକୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଓ ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ୨୪ ତାରିଖ ଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଫୁଲଙ୍କ ମୃତ୍ୟୁ ଘଟିଥିଲା। ମୃତ ଦେହକୁ ଶାଶୁ ଘର ଲୋକେ ତରବରିଆ ଭାବେ ପୋଡି ଦେଇଥିବା ବେଳେ ମୃତ୍ୟୁର କାରଣ ସମ୍ପର୍କିତ କୌଣସି କାଗଜ ପତ୍ର କନ୍ୟା ଘର ପକ୍ଷକୁ ଦେଖାଇ ନ ଦେବା ସହ ଘଟଣାକୁ ଚପାଇବା ପାଇଁ ପ୍ରୟାସ କରିଥିଲେ। ଫଳରେ ମୃତା ଫୁଲଙ୍କ ପରିବାର ଲୋକେ ଶୁଦ୍ଧିକ୍ରିୟା କାର୍ଯ୍ୟ ଶେଷ କରି ପୁନର୍ବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଖୀ”ର ସହାୟତାରେ ଦେବଗଡ଼ ଥାନାରେ ମାଆ ନଳିତା ଶାଶୁ ଓ ସ୍ୱାମୀ ଯୌତୁକ ଦାବିରେ ଝିଅକୁ ନିଆଁରେ ପୋଡି ମାରି ଦେଇଥିବା ଲିଖିତ ଅଭିଯୋଗ କରିଛନ୍ତି।