ନେପାଳରେ ଭାରତୀୟ ନ୍ୟୁଜ୍ ଚାନେଲ୍ ବ୍ୟାନ୍

କାଠମାଣ୍ଡୁ,ଏଜେନ୍ସି: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶରେ ଭାରତୀୟ ନ୍ୟୁଜ୍ ଚାନେଲ୍ର ପ୍ରସାରଣ ଉପରେ ବ୍ୟାନ୍ ଲଗାଇଛନ୍ତି। ନେପାଳ-ଭାରତ ମଧ୍ୟରେ ସୀମାବିବାଦ ଚାଲିଥିବା ବେଳେ ନେପାଳ ସଂସଦରେ ଏକ ନୂଆ ମାନଚିତ୍ର ପାରିତ ହୋଇଥିଲା। ନୂଆ ମାନଚିତ୍ରରେ ଭାରତର କିଛି ସ୍ଥାନକୁ ନେପାଳର ବୋଲି ଦର୍ଶାଯାଇଥିଲା। ଏହି ଘଟଣା ସମ୍ପର୍କରେ ଭାରତୀୟ ନ୍ୟୁଜ ଚାନେଲଗୁଡ଼ିକରେ ପ୍ରସାରିତ ଖବର ଉପରେ ଓଲୀ ସରକାର ଖପ୍ପା ହୋଇଥିଲେ। ନେପାଳ ସୂଚନା ଓ ସଂଚାର ମନ୍ତ୍ରୀ ଯୁବରାଜ ଖତିୱାଡା କହିଛନ୍ତି ଯେ, ଭାରତର ଘରୋଇ ନ୍ୟୁଜ ଚାନେଲଗୁଡ଼ିକରେ ନେପାଳ ବିଷୟରେ ଅନେକ ବିଭ୍ରାନ୍ତିକର ଖବର ପ୍ରସାରଣ ହେଉଛି। ତେଣୁ ଭାରତୀୟ ଘରୋଇ ନ୍ୟୁଜ ଚାନେଲଗୁଡ଼ିକୁ ବ୍ୟାନ୍ କରାଯିବା ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଚାନେଲ ଦୂରଦର୍ଶନ ନ୍ୟୁଜର ପ୍ରସାରଣ ନେଇ ନେପାଳରେ କୌଣସି କଟକଣା ଲଗାଯାଇନାହିଁ। ଏହାଛଡ଼ା ଦେଶରେ ଚୀନ୍ ଏବଂ ପାକିସ୍ତାନୀ ନ୍ୟୁଜ ଚାନେଲ ପ୍ରସାରଣ କ୍ଷେତ୍ରରେ କୌଣସି କଟକଣା ଲଗାଯାଇନାହିଁ। ତେବେ ଜଣେ ନେପାଳ କେବୁଲ ଅପରେଟର ଭାରତୀୟ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ଭାରତୀୟ ନ୍ୟୁଜ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ।