ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

କାଠମାଣ୍ଡୁ,ଏଜେନ୍ସି: ନେପାଳ ସଂସଦକୁ ଭଙ୍ଗ କରାଯାଇଥିବା ପ୍ରସଙ୍ଗରେ ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନୋଟିସ ଜାରି କରିଛନ୍ତି। ଅବଧି ପୂର୍ବରୁ କେଉଁ କାରଣରୁ ସଂସଦକୁ ଭାଙ୍ଗିଦିଆଗଲା, ସେ ସମ୍ପର୍କରେ ଲିଖିତଭାବେ କୈଫିୟତ ଦାଖଲ କରିବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ସମସେର ରାଣାଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ପୀଠ ପ୍ରଥମେ ସଂସଦ ଭଙ୍ଗ ନିଷ୍ପତ୍ତିକୁ ବିରୋଧ କରି ଆଗତ ଏକ ପିଟିସନର ଶୁଣାଣି କରିବାପରେ ଓଲିଙ୍କୁ ନୋଟିସ ଜାରି କରିଥିବା ଜଣାପଡିଛି।
କାହିଁକି ଓ କେଉଁ ପରିସ୍ଥିତିରେ ସଂସଦକୁ ଭାଙ୍ଗିଦିଆଗଲା, ସେ ସମ୍ପର୍କରେ ମାମଲାରେ ପକ୍ଷଭୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ, ତାଙ୍କ ମନ୍ତ୍ରିମଣ୍ଡଳ ଓ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହାବ୍ୟତୀତ ସଂସଦ ଭଙ୍ଗ ନିମନ୍ତେ ପ୍ରଧାନମନ୍ତ୍ରୀ ଦେଇଥିବା ସୁପାରିସ୍ ଓ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାର ଅସଲ କପି ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂସଦ ଭଙ୍ଗକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୩ଟି ପିଟିସନ ଦାଏର ହୋଇଥିଲା। ତେବେ ପ୍ରଧାନ ବିଚାରପତି ଏହାକୁ ସାମ୍ବିଧାନିକ ପୀଠରେ ଶୁଣାଣି ପାଇଁ ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ କ୍ଷମତାସୀନ ଏନ୍ସିପି (ନେପାଳ କମ୍ୟୁନିଷ୍ଟ ପାର୍ଟି)ରେ ଆଭ୍ୟନ୍ତରୀଣ କନ୍ଦଳ ଘନେଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଲି ଶୁକ୍ରବାର ତାଙ୍କ କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଇଛନ୍ତି। ଇତିମଧ୍ୟରେ ଦଳର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପ୍ରତି ଆନୁଗତ୍ୟ ରଖିଥିବା ୭ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ଫଳରେ ଓଲିଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟ ୧୮କୁ ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ କ୍ୟାବିନେଟ ସଂପ୍ରସାରଣ ପାଇଁ ଓଲି ଚିନ୍ତା କରୁଥିବା ଅନୁମାନ କରାଯାଉଛି।
ଗୁରୁବାର ନେପାଳ କମ୍ୟୁୁନିଷ୍ଟ ପାର୍ଟି ସେଣ୍ଟ୍ରାଲ କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଓ ବାଦାନୁବାଦ ପରିଲକ୍ଷିତ ହୋଇଥିଲା। ପ୍ରଚଣ୍ଡଙ୍କ ଗୋଷ୍ଠୀ ଏକ ପ୍ରସ୍ତାବ ଜରିଆରେ ଓଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ବହିଷ୍କାର କରିଥିବାବେଳେ ଓଲିଙ୍କ ସମର୍ଥକମାନେ ଅନ୍ୟ ଏକ ପ୍ରସ୍ତାବ ଜରିଆରେ ପ୍ରଚଣ୍ଡଙ୍କୁ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ହଟାଇଦେଇଥିବା ଦାବି କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ରେ ସିପିଏମ (ମାଓବାଦୀ) ନେତା ପ୍ରଚଣ୍ଡ ଓ ସିପିଏନ (ୟୁଏମଏଲ) ନେତା ଓଲିଙ୍କ ମଧ୍ୟରେ ବୁଝାମଣା ହୋଇ ନିର୍ବାଚନ ଲଢାଯାଇଥିଲା। ତେବେ ଦଳରେ ବିଭ୍ରାଟ ଉପୁଜିଥିବା କାରଣ ଦର୍ଶାଇ ଓଲି ଗତ ରବିବାର ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ।