ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି ଟିକା

ନୂଆଦିଲ୍ଲୀ,ଏଜେନ୍ସି: ସିରମ ଇନଷ୍ଟିଚ୍ୟୁଟର ଚୂଡାନ୍ତ ପର୍ଯ୍ୟାୟ କରୋନା ଟିକା ପରୀକ୍ଷା ହୋଇଯାଇଛି। ଏହି ଆଷ୍ଟ୍ରାଜେନିକା ଟିକା ପରୀକ୍ଷାର ଫଳକୁ ଅପେକ୍ଷା କରାଯାଇଛି। ଯଦି କରୋନା ଭୂତାଣୁ ସଂକ୍ରମଣକୁ ଏହି ଟିକା ପ୍ରଭାବଶାଳୀ ଭାବେ ପ୍ରତିରୋଧ କରିପାରୁଥିବ ତେବେ ଏହାର ଉତ୍ପାଦନ ବୃଦ୍ଧି କରାଯିବ। ଫଳରେ ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନୱାଲା କହିଛନ୍ତି ଯେ ଟିକା ପ୍ରସ୍ତୁତି ଲାଗି ଦିଲ୍ଲୀ ସରକାରଙ୍କ ଠାରୁ ଜରୁରୀ ଭିତ୍ତିରେ ଅନୁମତି ଲୋଡାଯିବ। ଆଷ୍ଟ୍ରାଜେନିକା ସହଯୋଗରେ ସିରମ ଇନଷ୍ଟିଚ୍ୟୁଟ ୧୦୦ କୋଟି ଡୋଜ୍ କରୋନା ଟିକା ପ୍ରସ୍ତୁତ ଲାଗି ବୁଝାମଣା କରିଛି। ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଆଷ୍ଟ୍ରାଜେନିକା ଟିକା ଭାରତ ସମେତ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ମାନବ ପରୀକ୍ଷଣ କରାଯାଉଛି। ଆଷ୍ଟ୍ରାଜେନିକା ସହିତ କୋଭୋଭାକ୍ସ ଟିକାକୁ ମଧ୍ୟ ସିରମ ଇନଷ୍ଟିଚ୍ୟୁଟ ଓ ଆଇସିଏମଆର ମିଳିତ ଭାବେ ବିକଶିତ କରୁଛନ୍ତି।