ଆସାମ ବନ୍ୟା: ୩୧ ଜିଲ୍ଲାରେ ୬.୮୦ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଗୁଆହାଟୀ,ଏଜେନ୍ସି: ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିଛି। ୩୧ଟି ଜିଲ୍ଲାର ୬ ଲକ୍ଷ ୮୦ ହଜାର ଲୋକ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ନଗାଓ, ହେଜାଇ, ଚଚର, ଡେରାଙ୍ଗ, ମାରିଗାଓ ଓ କରିମଗଙ୍ଗରେ ସ୍ଥିତି ଆହୁରି ଅଧିକ ଖରାପ।

ଆସାମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ନଗାଓ ଜିଲ୍ଲାରେ କେବଳ ୩.୪୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଚଚର ଜିଲ୍ଲାରେ ୧.୭୮ ଲକ୍ଷ, ହାଜୋଇରେ ୭୦,୨୩୩, ଡେରାଙ୍ଗରେ ୪୪,୩୮୨, ମୋରିଗାଓରେ ୧୭,୭୭୬ ଓ କରିମଗଂଜରେ ୧୬,୩୮୨ ଲୋକ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ହୋଜାଇ ଜିଲ୍ଲାରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ ଇନ୍ସପେକ୍ଟର ମହିପ ମୌର୍ଯ୍ୟ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଆମର ଟିମ୍ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନେକ ଲୋକ ସେମାନଙ୍କ ଘରକୁ ଯିବାକୁ ଚାହାନ୍ତି ନାହିଁ। ତେଣୁ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାମରେ ନିୟୋଜିତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ବିତରଣ କରୁଛି।

ରିପୋର୍ଟ ଅନୁସାରେ ୯୩,୫୬୨.୪୦ ହେକ୍ଟର ଜମିରେ ଜଳ ରହିଛି। ୨୨୪୮ଟି ଗାଁ ପାଣି ଭିତରେ ଅଛି। ୭୪,୯୦୭ ଲୋକ ବନ୍ୟାପାଣି ଭିତରେ ଅଛନ୍ତି। ଏଥିପାଇଁ ୨୮୨ଟି ରିଲିଫ ଶିବିର କରାଯାଇଛି। ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ପଶୁ ପ୍ରଭାବିତ ହୋଇଛନ୍ତି। ମୋଟ ୨୪ହଜାର ୭୪୯ ଜଣଙ୍କୁ ଉଦ୍ଧାର କରାଯାଇଛି।