ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଚୀନର ଗ୍ୱାଙ୍ଗଝାଓ ଠାରେ ଓଡ଼ିଶାର ରୋଡ୍ ଶୋ

ଭୁବନେଶ୍ୱର, ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପୋଦ୍ୟୋଗୀମାନଙ୍କୁ ନେଇ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶର ଅଭିବୃଦ୍ଧି ଲକ୍ଷ୍ୟ ନେଇ ଚୀନର ଗ୍ୱାଙ୍ଗଝାଓଠାରେ ଏକ ରୋଡ୍ ଶୋ’ର ଆୟୋଜନ କରିଛନ୍ତି।

ଏହି ରୋଡ୍ ଶୋ ମାଧ୍ୟମରେ ଚୀନରେ ଡାଙ୍ଗୱାଂଠାରେ ପ୍ରତିଷ୍ଠିତ ନାଇନ୍ ଡ୍ରାଗନ ପେପର (ହୋଲଡିଂ) କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆୟୋଜିତ ରୋଡ୍ ଶୋ’ରେ ଚୀନର ବହୁସଂଖ୍ୟକ ଶିଳ୍ପୋଦ୍ୟୋଗୀ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ମିଶ୍ର କହିଥିଲେ ଯେ ଭାରତ ଏବଂ ଚୀନର ସମ୍ପର୍କ ବହୁ ପୁରାତନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜ୍ୟରେ ବହୁ ପ୍ରଗତି ଘଟିଛି ଏବଂ ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି।

ମନ୍ତ୍ରୀ ଶ୍ରୀ ମିଶ୍ର ଚୀନର ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ସହ ଶିଳ୍ପ ପ୍ରତିଷ୍ଠା ଦିଗରେ ସବୁପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ।