ହଦପଶି ଦଣ୍ଡଧର ହତ୍ୟା ଘଟଣା : ଏସପିଙ୍କୁ ଭେଟିଲେ ପରିବାର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ନୟାଗଡ଼,ଏନ୍‌ଏନ୍‌ଏସ୍ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଉପର ହଦପଶି ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ ଗ୍ରାମର ଦଣ୍ଡଧର ବେହେରାଙ୍କୁ ହତ୍ୟା ଘଟଣାରେ ଆଜି ମୃତକଙ୍କ ପରିବାର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତି ମାଳା ମହାନ୍ତି ଏସପିଙ୍କୁ ଭେଟିଛନ୍ତି । ସମସ୍ତ ଅପରାଧିଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକକୁ ସୁରକ୍ଷା ଓ ସହାୟତା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦାବି କରିଛନ୍ତି ।

ସୂଚନାନୁସାରେ, ଉପର ହଦପଶି ଗ୍ରାମର ଦଣ୍ଡଧର ବେହେରା ଓ ଚରଣ ବେହେରାଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା । ଗତ ଶନିବାର ରାତିରେ ଚରଣ ବେହେରା କୈାଣସି କାରଣ ବଶତଃ ଦଣ୍ଡଧରଙ୍କ ସହିତ ପାଟିତୁଣ୍ଡ କରିବା ଫଳରେ ଦଣ୍ଡଧରଙ୍କ ଶଶୁର ବିକା ବେହେରା ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଚସା ମାଡ଼ପିଟ ହୋଇଥିଲା । ଫଳରେ ଚରଣ ବେହେରା ତା’ ସାଙ୍ଗରେ ଗ୍ରାମର ୪ ଜଣକୁ ନେଇ ଠେଙ୍ଗା, କାତି ଓ ରଡ ଦ୍ୱାରା ଦଣ୍ଡଧରଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ ।

ଏପରିକି ଆକ୍ରମଣରେ ଦଣ୍ଡଧରଙ୍କ ଶଶୁର, ସ୍ତ୍ରୀ, ଶାଶୁ ଓ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି । ଦଣ୍ଡଧରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିବାରୁ ତାଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଦଣ୍ଡଧର ବେହେରାଙ୍କ ମୃତ୍ୟୁ ଘଟିଥିଲା ଜଣାପଡିଛି । ଏହି ଘଟଣାରେ ଗଦା ବେହେରାଙ୍କୁ ଗିରଫ କରାଯାଇଥିବା ବେଳେ ଚରଣ ବେହେରା, ନାରଣ ବେହେରା ଓ ମମତା ବେହେରା ଡାକ୍ତରଖାନାରେ ଚିକିତ୍ସିତ ଥିବାରୁ ତାଙ୍କ ଉପରେ ପୁଲିସ ନଜର ରଖିଛି ।

ଅନ୍ୟପକ୍ଷେ, ଦଣ୍ଡଧରଙ୍କ ପରିବାର ଉପରେ ଆକ୍ରମଣ ଆଶଙ୍କା ରହିଥିବାରୁ ପରିବାର ଲୋକେ ସୁରକ୍ଷା ଲୋଡ଼ିଛନ୍ତି । ଆଜି ମୃତ ଦଣ୍ଡଧରଙ୍କ ପତ୍ନୀ ସୁଜାତା ବେହେରାଙ୍କ ସହ ତାଙ୍କ ମାଆ ସୁକାନ୍ତି ଡାଙ୍ଗୁଆ, ବାପା ଭିକାରୀ ଡାଙ୍ଗୁଆଙ୍କ ସଜ ସୁଜାତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଆସି ଏସପିଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଧ୍ୟ ଏସପିକୁ ଭେଟିଥିବା ବେଳେ ମୃତକଙ୍କ ପରିବାରକୁ କିଛି ସହାୟତା ଏବଂ ସମସ୍ତ ଅପରାଧିଙ୍କୁ ଗିରଫ କରାଯିବା ନେଇ ସେ ଦାବି କରିଛନ୍ତି । ଏହି ଘଟଣାରେ ଦଣ୍ଡଧରଙ୍କ ସହ ତାଙ୍କ ପରିବାର ମଧ୍ୟ ଆହାତ ହୋଇଥିବା ଜଣାପଡ଼ିଛି ।