ବିଜେଡି ରାଜନୀତି ନୁହେଁ ସେବାରେ ବିଶ୍ୱାସ କରେ : ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,ଏନ୍ଏନ୍ଏସ୍ : ସୁନ୍ଦରଗଡ଼ ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ। ବିଜୁବାବୁ ସୁନ୍ଦରଗଡ଼ ଜିଲ୍ଲାକୁ ବହୁତ ଭଲ ପାଉଥିଲେ। ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ବିଜୁବାବୁଙ୍କ ବହୁତ ବଡ଼ ଅବଦାନ। ସୁନ୍ଦରଗଡ଼ର ଶିଳ୍ପାୟନ ପାଇଁ ବିଜୁ ବାବୁ ଅନେକ ସ୍ୱପ୍ନ ଦେଖିଥିଲେ। ଆଜି ସୁନ୍ଦରଗଡ଼ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୌରବ। ଖେଳ ବିଶେଷ କରି ହକି, ଫୁଟବଲ, ଆର୍ଚେରୀ ଆଦିରେ ସୁନ୍ଦରଗଡ଼ର ଖେଳାଳୀମାନେ ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି। ହକି ୱାର୍ଲଡ କପ୍-୨୦୨୩ ମଧ୍ୟ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସୁନ୍ଦରଗଡ଼ରେ ୧୫ ଶହ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା ।

ସୁନ୍ଦରଗଡବାସୀଙ୍କ ବହୁ ବର୍ଷର ମେଡିକାଲ କଲେଜର ଦାବୀ ମଧ୍ୟ ଖୁବଶୀଘ୍ର ଲୋକଙ୍କୁ ସେବା ଯୋଗାଇ ଦେବ। ବିଜୁ ଜନତା ଦଳ ଆପଣମାନଙ୍କ ଦଳ ଏବଂ ଆପଣମାନଙ୍କ ପାଇଁ କାମ କରୁଛି। ଆମ କାମ ହିଁ ଆମର ପରିଚୟ। ରାଜନୀତି ନୁହେଁ। ସେବାରେ ହିଁ ଆମେ ବିଶ୍ୱାସ କରୁ। ସାଧାରଣ ଜନତା ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କ ଆଶୀର୍ବାଦରେ ଆମେ ସୁନ୍ଦରଗଡ଼ ତଥା ଓଡ଼ିଶାର ବିକାଶ ପାଇଁ କାମ କରୁଛୁ ଓ କାମ କରି ଚାଲିବୁ। ଆଜି ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏଭଳି ବକ୍ତବ୍ୟ ଦେଇଛନ୍ତି। ଆଜି ଅପରାହ୍ନ ସାଢ଼େ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଜିଲ୍ଲା କ୍ରୀଡ଼ା ସଂସଦ ଖେଳପଡିଆରେ ଓହ୍ଲାଇଥିଲେ। ଏହି ଖେଳପଡିଆରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଥିଲେ।

ଏହାପରେ ସ୍ଥାନୀୟ ଭବାନୀଭବନ ଖେଳପଡ଼ିଆରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଷ୍ଟମ ଥର ପାଇଁ ଦଳୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର ଅଷ୍ଟମ ଥର ପାଇଁ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୦ ମିନିଟ ଧରି ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ବିନୟ ଟପ୍ପୋ ପରିଚାଳନା କରିଥିବା ବେଳେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ, ରାଉରକେଲା ବିଧାୟକ ଶାରଦା ନାଏକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ଯୋଗେଶ ସିଂ, ମହିଳା ନେତ୍ରୀ ସୁନୀତା ବିଶ୍ୱାଳ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ସୁନ୍ଦରଗଡ଼ ପୌରପାଳିକାର ପୁର୍ବତନ ଅଧ୍ୟକ୍ଷ ବେଣୁଧର ତାଣ୍ଡିଆ ପ୍ରମୁଖ ନିଜର ବ୍ୟକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ପ୍ରକଳ୍ପ ବିଷୟରେ ଆଲୋକପାତ କରିଥିଲେ ।

ଆଜିର ଗସ୍ତରେ ସୁନ୍ଦରଗଡ଼ର ପାରିଜାତ ଓ ଥିମ ପାର୍କର ଉନ୍ନତିକରଣ ପାଇଁ ୨୮ କୋଟି ୪୫ ଲକ୍ଷ, ଭବାନୀ ଭବନ ପଡ଼ିଆର ଉନ୍ନତି ପାଇଁ ୨୨କୋଟି ୮୫ ଲକ୍ଷ, ଶଙ୍କରା ବାଇପାସ ରାସ୍ତା ପାଇଁ ୫୪ କୋଟି ୫୮ ଲକ୍ଷ, ବିଜୁଳି ବନ୍ଧର ଉନ୍ନତିକରଣ ପାଇଁ ୨୭ କୋଟି, ୩୭୫ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ପାଇଁ ୨୮ କୋଟି, ସରକାରୀ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ୧୫ କୋଟି, ମହିଳା ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ୮ ଲକ୍ଷ, ମୁଖ୍ୟ ଚିକିତ୍ସାଳୟର ଉନ୍ନତି କରଣ ପାଇଁ ୯୫ କୋଟି, ଇବ୍ ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୬୪ କୋଟି ଆଦି ପ୍ରକଳ୍ପ ସମେତ ୧୪୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।