କମ୍ବିଂ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ

ଭବାନୀପାଟଣା,ଏନ୍ଏନ୍ଏସ୍: କମ୍ବିଂ ଅପରେସନ୍ ବେଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଗତ ୨୩ ତାରିଖରେ କମ୍ବିଂ ଅପରେସନ ବେଳେ ଏହି ସବୁ ସାମଗ୍ରୀ ଜବତ ହୋଇଛି। ଏନେଇ ଆଜି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ନାପାଡ଼ାଲୁ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ କଳାହାଣ୍ଡି ପୁଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଏସ୍‌ଓଜି, ଡିଭିଏଫ୍ ଓ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ଭିତରେ ନକ୍ସଲମାନେ ପଛଘୁଞ୍ଚା ଦେଇଥିଲେ। ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ନକ୍ସଲ କ୍ୟାମ୍ପରେ ନିଖିଲ, ଦଶୃ ଓ ମମତା ଭଳି ଟପ୍ ନକ୍ସଲ କ୍ୟାଡର ଉପସ୍ଥିତ ଥିଲେ ବୋଲି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ସୂଚନା ଦେଇଛନ୍ତି।

ନକ୍ସଲମାନେ ଫେରାର ହୋଇଯିବା ପରେ ଯବାନମାନେ କ୍ୟାମ୍ପକୁ ସର୍ଚ୍ଚ କରିଥିଲେ। ସେହି ସମୟରେ ସେଠାରୁ ୪ଟି ଆଇଇଡି, ୪ଟି ଅଫୁଟା ଗୁଳି, ମାଓ ପୁସ୍ତିକା, ପୋଷ୍ଟର, କିଟ୍ ବ୍ୟାଗ, ଔଷଧ, ସୋଲାର ପ୍ୟାନେଲ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା।