ପୁଣି ନବାବ-ଏନସିବି ମୁହାଁମୁହିଁ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିପି ନେତା ନବାବ ମଲ୍ଲିକ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)କୁ ଲଗାତର ଭାବେ ଟାର୍ଗେଟ କରୁଛନ୍ତି। ନବାବ ଆଜି ପୁଣେର ମାବଲ ଅଞ୍ଚଳରେ ଏକ ସଭାକୁ ସମ୍ବୋଧିତ କରି ଏନସିବିର ଜୋନଲ ଡାୟରେକ୍ଟର ସମୀର ୱାଙ୍ଖଡେଙ୍କୁ ଚେତାବନୀ ଦେଇଛନ୍ତି।

ନବାବ କହିଛନ୍ତି ଯେ, ବର୍ଷକ ମଧ୍ୟରେ ସମୀର ଓା୍ୱଙ୍ଖଡେଙ୍କୁ ଜେଲ ପଠାଇବୁ, ଚାକିରିରୁ ବିତାଡ଼ିତ କରିବୁ। ସେ କରିଥିବା ଧୋକାବାଜିକୁ ଜନତାଙ୍କ ସାମ୍ନାକୁ ଆଣିବୁ। ଏହାକୁ କଡ଼ା ଚେତାବନୀ ଭାବନ୍ତୁ। ମୋ ଜ୍ୱାଇଁକୁ ଜେଲରେ ପୁରାଇ ସେ ଏବେ ମୋତେ ଫୋନ୍ କରୁଛି।  ତୁମ ପିତା କିଏ ଏହାର ଜବାବ ମୋତେ ଦିଅ। ମୁଁ ତୁମ ପିତାଙ୍କୁ ଡରି ନାହିଁ। ତୁମକୁ ଜେଲରେ ନ ପଠାଇବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ନିଶ୍ୱାସ ନେବିନି।

ଅନ୍ୟପଟେ ସମୀର ୱାଙ୍ଖଡେ କହିଛନ୍ତି ଯେ, ସେ ଖୁବଶୀଘ୍ର ମନ୍ତ୍ରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବେ। ନବାବ ମଲ୍ଲିକ ମୋ ଉପରେ ଯେଉଁ ଆରୋପ ଲଗାଇଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ୍। ମୁଁ ଯେବେଠୁ ଚାକିରିରେ ଯୋଗ ଦେଇଛି ସେବେଠୁ ଦୁବାଇ ଯାଇନାହିଁ। ମୁଁ ସରକାରଙ୍କଠାରୁ ଛୁଟି ନେଇ ନିଜ ପଇସାରେ ପରିବାର ସହ ବୁଲିବାକୁ ଯାଇଥିଲି। ନବାବ ମଲ୍ଲିକ ବାରମ୍ବାର ମୋ ପରିବାରର ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେଥିପାଇଁ ମୁଁ ଖୁବଶୀଘ୍ର କୋର୍ଟ ଯିବି।