ପିକ୍‌ଚର ଅଭି ବାକି ହୈ ମେରେ ଦୋସ୍ତ, ଓ୍ଵାଙ୍ଖଡେଙ୍କୁ ଶାହାରୁଖଙ୍କ ଡାଏଲଗ ଶୁଣାଇଲେ ନଓ୍ଵାବ ମଲ୍ଲିକ

ନୂଆଦିଲ୍ଲୀ,ଏଜେନ୍ସି: ପିକ୍‌ଚର ଅଭି ବାକି ହୈ ମେରେ ଦୋସ୍ତ। ଆର୍ଯ୍ୟନଙ୍କ ବେଲ ପରେ ଓ୍ଵାଙ୍ଖଡେଙ୍କୁ ଶାହାରୁଖଙ୍କ ଡାଏଲଗ ଶୁଣାଇଛନ୍ତି ନଓ୍ଵାବ ମଲ୍ଲିକ। (ଡାଏଲଗ) ଫିଲ୍ମ ଓମ୍‌ ଶାନ୍ତି ଓମ୍‌ର ଏହି ଡାଏଲଗ ସମୀର ଓ୍ଵାଙ୍ଖଡେଙ୍କ ଉଦ୍ଦେଶ୍ୟରେ ଟ୍ଵିଟ୍‌ କରିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନଓ୍ଵାବ ମଲିକ। ଓ୍ଵାଙ୍ଖଡ଼େଙ୍କ ନାଁ ନେଇ ନାହାନ୍ତି ନଓ୍ଵାବ, କିନ୍ତୁ ଚେତାଇ ଦେଇଛନ୍ତି, ମାମଲା ନୂଆ ମୋଡ଼ ନେଉଛି। ମାସେ ଭିତରେ ବଦଳି ଯାଇଛି ସ୍ଥିତି। ଆର୍ଯ୍ୟନଙ୍କୁ ବେଲ ନଦେବାକୁ ଯିଏ ସବୁ ପ୍ରକାର ଉଦ୍ୟମ କରୁଥିଲା, ସେ ଏବେ କୋର୍ଟଙ୍କ କବାଟ ପିଟୁଛି। ଓ୍ଵାଙ୍ଖଡ଼େ ପରିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନଓ୍ଵାବ ମଲ୍ଲିକ। ସେ କଣ ମରାଠୀ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ, ସମୀର ଓ୍ଵାଙ୍ଖଡ଼େଙ୍କୁ ସାନି ଟାର୍ଗେଟ୍‌ କରିଛନ୍ତି ମଲିକ। କ୍ରୁଜ୍‌ ପାର୍ଟିରେ ଦାଢ଼ି ରଖିଥିବା କାଶିଫ ଖାନ୍‌ଙ୍କୁ ସାମ୍ନାକୁ ଭିଡ଼ିଛନ୍ତି। ମୁମ୍ବାଇ କ୍ରୁଜ୍‌ରେ ରେଭ୍‌ ପାର୍ଟି ଆୟୋଜନ କରିଥିବା କାଶିଫ୍‌ ଖାନ୍‌ଙ୍କୁ କାହିଁକି ଛାଡ଼ି ଦିଆଗଲା ? ଓ୍ଵାଙ୍ଖଡେଙ୍କ ଭଲ ବନ୍ଧୁ ବୋଲି ତାଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ କରିଛନ୍ତି ନଓ୍ଵାବ ମଲ୍ଲିକ। ଫ୍ୟାସନ ଟିଭିର ଇଣ୍ଡିଆ ହେଡ୍‌ ହେଉଛନ୍ତି କାଶିଫ ଖାନ୍‌। ବିଭିନ୍ନ ସ୍ଥାନରେ ଫ୍ୟାସନ୍‌ ସୋ ଆୟୋଜନ କରି ଡ୍ରଗସ କାରବାର ଓ ସେକ୍ସ ର‍୍ୟାକେଟ୍‌ ଚଳାଇବା ତାଙ୍କ କାମ ବୋଲି ନଓ୍ଵାବ ମଲ୍ଲିକ ଅଭିଯୋଗ କରିଛନ୍ତି। ଓ୍ଵାଙ୍ଖଡ଼େ କହିଛନ୍ତି ଅଭିଯୋଗ ସଂପୂର୍ଣ୍ଣ ମିଛ। ଆଇନ୍‌ ତା ବାଟରେ ଯିବ। ପୁରୁଣା ଅଭିଯୋଗକୁ ଆଜି ପୁଣି ଥରେ ଦୋହରାଇଛନ୍ତି ନଓ୍ଵାବ ମଲିକ। କ୍ରୁଜ୍‌ ମାମଲାରେ ବିଜେପିକୁ ଭିଡ଼ିଛନ୍ତି। ଓ୍ଵାଙ୍ଖଡେଙ୍କୁ ଲଗାଇ ମହରାଷ୍ଟ୍ରକୁ ବଦନାମ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା କହିଛନ୍ତି ମଲ୍ଲିକ।