ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଏସସି କମିଶନ ସଦସ୍ୟ

-ଘଣ୍ଟାଏ ଭିତରେ ଆରଆଇ ସସପେଣ୍ଡ୍
-‘ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ଆଣିଛି ପୁଲିସ୍’
-ନାଉଗାଁ ପୁଲିସ୍ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ!
-ଆଇଜି, ଡିଆଇଜି ଓ ରାଜ୍ୟ ସରକାରଙ୍କୁ ଭେଟିବେ କମିଶନ୍

ନାଉଗାଁ,ଏନ୍ଏନ୍ଏସ୍: ନାଉଗାଁ ବ୍ଲକ ଅନ୍ତର୍ଗତ ତେଣ୍ଟୋଇ ଗ୍ରାମର ଦଳିତ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଉକ୍ତ ପରିବାରକୁ ଜାତୀୟ ଅନୁସୂଚିତ ଜାତି କମିସନର ସଦସ୍ୟ ଡ.ଯୋଗେନ୍ଦ୍ର ପାଶ୍ୱାନ ଭେଟିଛନ୍ତି। ସେ ପ୍ରଥମେ ମୃତକଙ୍କ ଘରେ ମୃତକଙ୍କ ମାଆ ସାକୁଲି ଦାସଙ୍କ ସହିତ ଭେଟି ସାନ୍ତ୍ୱନା ଦେଇଥିଲେ। ପରେ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଉପରେ ବର୍ଷିଥିଲେ।

ତାଙ୍କ କହିବାନୁଯାୟୀ, ମୃତକ ଜଣେ ଗରିବ ଦଳିତ ପରିବାରର ଯୁବତୀ ହୋଇଥିବା ବେଳେ ତାର ଅଶ୍ଳୀଳ ଫଟୋ ଉତ୍ତୋଳନ କରି କାନ୍ଥରେ ଲଗାଇ ତାର ଇଜ୍ଜତ ସହିତ ଖେଳାଯାଇଛି ଓ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ନଭେମ୍ବର ୭ତାରିଖରେ ଘଟଣା ଘଟିଥିବା ବେଳେ ବିଳମ୍ବରେ ଅଭିଯୁକ୍ତଙ୍କ ନାମରେ ଏସସିଏସଟି ଆଟ୍ରେ।।ସିଟି ଧାରା ଲଗାଯିବା, ଆଇଟି ଧାରା ୬୬ ଲଗାନଯିବା କାରଣରୁ ପୁଲିସ ପ୍ରଶାସନର ଅଭିଯୁକ୍ତଙ୍କ ପ୍ରତି ଥିବା କୋହଳ ମନୋଭାବକୁ ପଦାକୁ ଆଣିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଯେତେବେଳେ ଉକ୍ତ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ଅନୁପସ୍ଥିତର ସୂଯୋଗନେଇ ଅଭିଯୁକ୍ତ ଦୀପକ ବେହୁରା ତାଙ୍କ ଘରେ ପସି ତାଙ୍କ ଝିଅ ସହିତ ଜୋରଜବରଦସ୍ତ ଝିଅର ଅଶ୍ଳୀଳ ଫଟୋ ଉତ୍ତୋଳନ କରିବା ଘଟଣାକୁ ନେଇ ପରିବାର ପକ୍ଷରୁ ଚଳିତବର୍ଷ ଜୁନ୍‍ ୮ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସେହି ସମୟରେ ପୁଲିସ ବିଭାଗ ପକ୍ଷରୁ ଉକ୍ତ ଘଟଣା ପ୍ରତି ଦୃଷ୍ଟି ଦିଆଯାଇଥିଲେ ହୁଏତ ଆଜି ସମ୍ପୃକ୍ତ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିନଥାନ୍ତା। ତେଣୁ ଉକ୍ତ ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଉକ୍ତ ପରିବାର ଅତ୍ୟନ୍ତ ଗରିବ ଭୂମିହୀନ ହୋଇଥିବାରୁ ଉକ୍ତ କେସ୍‍ ରେ ଧାରା ୩୭୬ସି ଲଗାଯିବା ପାଇଁ କମିସନଙ୍କ ପକ୍ଷରୁ ଦାବି କରିଥିଲେ।

ସେହିପରି ଉକ୍ତ ପରିବାରକୁ ସରକାରୀ ଜମିରୁ ଘର ଭାଙ୍ଗିବାକୁ ଧମକ ଦେଉଥିବା ରାଜସ୍ୱ ନିରୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ୭ଦିନ ମଧ୍ୟରେ କମିସନକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବା ପାଇଁ ସେ ଡିଜି, ଆଇଜିଙ୍କୁ ଭେଟିବେ ବୋଲିଥିଲେ। ତାଙ୍କ ସହିତ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ଆରକ୍ଷୀଅଧ୍ୟକ୍ଷ ପ୍ରକାଶ ଆର. ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ବିଜୟା ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ଉକ୍ତ ଘଟଣାରେ ଜିଲ୍ଲାପାଳ ସମ୍ପୃକ୍ତ ଆରଆଇଙ୍କୁ କିଛି କ୍ଷଣ ମଧ୍ୟରେ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ବିଜେଡିର ସ୍ଥାନୀୟ ବିଧ୍ୟାୟକ ପ୍ରଶାନ୍ତ ମୁଦୁଲି ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଦେବା ସହିତ ସଂପୃକ୍ତ ଦୋଷୀ ମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବା ସହିତ ମୃତକଙ୍କ ପରିବାରକୁ କିପରି ଉଚିତ୍‍ ନ୍ୟୟ ପ୍ରଦାନ କରାଯିବାପାଇଁ ସେଥିପାଇଁ ସେ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।