ଦେଶୀ ଗାଈ ଚାଲାକ୍, ଜର୍ସି ଗାଈ ଅଳସୁଆ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦେଖାଯାଉଥିବା ଦେଶୀ ଗାଈ ଅର୍ଥାତ୍ ଗୋମାତା ଅତ୍ୟନ୍ତ ଚାଲାକ୍ ହୋଇଥିବାବେଳେ ଜର୍ସି ଗାଈ ନିହାତି ଅଳସୁଆ ବୋଲି ରାଷ୍ଟ୍ରୀୟ କାମଧେନୁ ଆୟୋଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି। ୫୪ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ଗାଈମାନେ ଚାଲାକ୍ ହୋଇଥିବାବେଳେ ମଇଳା ସ୍ଥାନରେ ଶୋଇବାକୁ ପସନ୍ଦ କରିନଥାନ୍ତି। ସେମାନେ ଦେଉଥିବା କ୍ଷୀର ପ୍ରୋଟିନଯୁକ୍ତ ହୋଇଥିବାବେଳେ ସେମାନଙ୍କ ଗୋବରରେ ରେଡିଓ ଆକ୍ଟିଭ୍ ନିରୋଧ ଗୁଣ ଦେଖିବାକୁ ମିଳିଥାଏ। ମଣିଷଙ୍କ ପ୍ରତି ସେମାନଙ୍କର ସ୍ନେହଭରା ଆଚରଣ ବେଶ ପ୍ରଶଂସନୀୟ। ଅପରପକ୍ଷରେ ଜର୍ସି ଗାଈ ନିହାତି ଅଳସୁଆ। ସେମାନେ ଅସନା ସ୍ଥାନରେ ରହିବାକୁ ପସନ୍ଦ କରୁଥିବାବେଳେ ସେମାନଙ୍କଠାରେ ଭାବପ୍ରବଣତାର ଅଭାବ ପରିଲକ୍ଷିତ ହୋଇଥାଏ। ସେମାନେ ଦିନସାରା ଅଳସୁଆଭାବେ ପଡିରହିଥାନ୍ତି। ଫଳରେ ସେମାନଙ୍କ ଶରୀରରେ ସବୁବେଳେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।

ଯଦିଓ ଦେଶୀ ତୁଳନାରେ ଏମାନେ ଅଧିକ କ୍ଷୀର ଦେଇଥାନ୍ତି, ତଥାପି ଏମାନଙ୍କ କ୍ଷୀରରେ ପ୍ରୋଟିନ ପରିମାଣ ଅପେକ୍ଷାକୃତ କମ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ପ୍ରସଙ୍ଗରେ ଆୟୋଗ ପକ୍ଷରୁ ଏକ ଉଦାହରଣ ମଧ୍ୟ ଦିଆଯାଇଛି। ୧୯୮୪ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ୟୁନିୟନ କାର୍ବାଇଡ୍ କାରଖାନାରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ ନିର୍ଗତ ହେବାଫଳରେ ୨୦,୦୦୦ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ସେତେବେଳେ ଯେଉଁମାନେ କାନ୍ଥରେ ଗୋବର ଲିପା ହୋଇଥିବା ଘରେ ରହିଥିଲେ, ସେମାନେ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଇଛି। ଏପରିକି ଆଜିର ଦିନରେ ଭାରତ ଓ ରୁଷରେ ଥିବା ଆଣବିକ ପ୍ରତିଷ୍ଠାନରେ ବିକୀରଣକୁ ରୋକିବା ନିମନ୍ତେ ଦେଶୀ ଗାଈର ଗୋବରକୁ ବ୍ୟବହାର କରାଯାଉଛି। ପୁନଶ୍ଚ ଦେଶୀ ଗାଈର ପରିସ୍ରା ମଣିଷଙ୍କ ପାଇଁ ଅତ୍ୟନ୍ତ ହିତକର ପ୍ରମାଣିତ ହୋଇଛି। ଏହି ଗୋମୁତ୍ର ସେବନ କରିବା ଦ୍ୱାରା ଶ୍ୱାସରୋଗ, ଯକୃତ, କୁଷ୍ଠ ଓ ଅନ୍ୟାନ୍ୟ ଚର୍ମରୋଗର ନିରାକରଣ ହେଉଥିବା କୁହାଯାଇଛି।