ଦେବଗଡ଼ ଠାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ଆଜିଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଏହି ରଥକୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥକୁ ଏନସିସି କ୍ୟାଡେଟର ଛାତ୍ରଛାତ୍ରୀଙ୍କ ସଚେତନତା ଶୋଭାଯାତ୍ରା ମଧ୍ୟରେ ନଗର ପରିକ୍ରମା କରାଯାଇଛି।

ଏଥିସହ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ଲିଫଲେଟ ବଣ୍ଟନ କରାଯାଇ ଲୋକଙ୍କୁ ହେଲମେଟର ବ୍ୟବହାର, ଗାଡି ଚଳାଇବା ସମୟରେ ନିଶା ଠାରୁ ଦୂରେଇ ରହି ନିଜ ତଥା ପରିବାରର ଧନଜୀବନକୁ ସୁରକ୍ଷିତ ରଖିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ। ଆଜି ଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ବ୍ରହ୍ମା ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିଷ୍ଠାତା ସୁଧୀର କୁମାର ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରିଥିଲେ।