ଏଣିକି ଅମାନିଆଙ୍କୁ ନିସ୍ତାର ନାହିଁ, ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ଜାତୀୟ ରାଜପଥରେ ଲାଗିବ ସିସିଟିଭି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଅମାନିଆଙ୍କୁ ଜଗିବ ସିସିଟିଭି। ପୁଣି ଗାଡି ଚଳାଚଳ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ଲାଗୁ ହୋଇଛି ନୂଆ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିସନର ସଞ୍ଜୀବ ପଣ୍ଡା।

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ସିସିଟିଭି। ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସିସିଟିଭି ଲଗାଯିବ। ପ୍ରତି ୪ରୁ ୫ କିଲୋମିଟର ବ୍ୟବଧାନରେ ସିସିଟିଭି ଲାଗିବା ନେଇ ଟେଣ୍ଡର କାମ ସରିଛି। ଏହାଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ। ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବାଧ୍ୟତାମୂଳକ ନିୟମ କରାଯାଇଛି। ନିୟମ କଡ଼ାକଡ଼ି କରିବାକୁ ଭେଇକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ କରାଯିବ। ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ। ଆଜିଠୁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳିତ ହେଉଛି। ଦୁର୍ଘଟଣା କମାଇବା ପାଇଁ ଏପରି କଡା ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା।

ଲକଡାଉନ୍‌ ସମୟରେ ଦୁର୍ଘଟଣା ହାର କମିଥିବା ବେଳେ ପୁଣି ସେପ୍ଟେମ୍ବର ଦୁର୍ଘଟଣା ବଢୁଛି। ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି। ଭେହିକଲ ଲୋକେସନ ଟ୍ରାକିଂ ସିଷ୍ଟମ ହେବ, ସ୍ପିଡ ଆନାଲିସିସ ହେବ। ବସ୍‌, ଟ୍ୟାକ୍ସି, ସ୍କୁଲ ବସ୍‌ ଲୋକେସନ ଟ୍ରାକିଂ ହେବ। ଏଥିପାଇଁ ୧୫ କୋଟି ଖର୍ଚ୍ଚ ହେବ।