ଏହି ରାଜ୍ୟର ସ୍କୁଲ-କଲେଜରେ ପ୍ରତିଦିନ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ, ଆଦେଶନାମା ଜାରି

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଏକାଧିକ ସହରରେ ନିକଟରେ ହୋଇଥିବା ‘ସଭରକର ବନା ଟୀପୁ ସୁଲତାନ’ ପୋଷ୍ଟର ବିବାଦ ପରେ ଏବେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ସବୁ ସ୍କୁଲ ଓ କଲେଜରେ ଜାତୀୟ ସଂଗୀତ ଗାୟନକୁ ବାଧ୍ୟତାମୂଳକ କରିଦେଇଛନ୍ତି । ଏନେଇ କର୍ଣ୍ଣାଟକ ସରକାର ଆଦେଶନାମା ମଧ୍ୟ ଜାରି କରିଦେଇଛନ୍ତି ।

ଜାରି ହୋଇଥିବା ଆଦେଶ ଅନୁସାରେ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ-କଲେଜରେ ବାଧ୍ୟତାମୂଳକ ଭାବେ ଜାତୀୟ ସଂଗୀତ ଗାନ କରାଯିବ । ଏହାକୁ ପୂର୍ବାହ୍ନରେ ସାମୁହିକ ଭାବେ ଗାନ କରାଯିବ । ମାତ୍ର ସରକାର କହିଛନ୍ତି ଯେ, ପଡ଼ିଆରେ ନ ହେଲେ ବି ଶ୍ରେଣୀ କକ୍ଷରେ ହେଲେ ବି ଚଳିବ । କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଉଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଦିନ କର୍ଣ୍ଣାଟକର ଶିମୋଗାରେ ସଭରକର ଓ ଟିପୁ ସୁଲତାନଙ୍କ ହୋର୍ଡିଂକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା । ଏହା ପରେ ଘଟଣାସ୍ଥଳକୁ ପୁଲିସ ପହଞ୍ଚିଥିଲା । ପରିସ୍ଥିତି ଅଣାୟତ୍ତ ଥିବାରୁ ୧୪୪ ଧାରା ଲାଗୁ କରିବାକୁ ପଡ଼ିଥିଲା ।