କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଚିକିଲିଠାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୬କୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ମୁନିଗୁଡ଼ାର ନବୀନ ହରିଜନ ଦୁର୍ଘଟଣାର ଶିକାର ହୋଇ କୋରାପୁଟ ଠାରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ଅବରୋଧ କରିଛନ୍ତି। ଅପରାହ୍ଣ ୩ଟାରୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବରପାଇ ନବରଙ୍ଗପୁର ଥାନାର ବରିଷ୍ଠ ଆଇଆଇସି ତାରେଖ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁସାରେ ଗତ ୫ ତାରିଖ ଦିନ ନବୀନ ହରିଜନ ପାପଡା ହାଣ୍ଡିକୁ ଯାଉଥିଲେ। ସେହି ସମୟରେ ଡିଅର ପାର୍କ ନିକଟରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।