ତ୍ରିପାକ୍ଷିକ ବୋଡୋ ଶାନ୍ତି ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପୃଥକ୍ ବୋଡୋ ଲ୍ୟାଣ୍ଡ୍ ଗଠନ ଦାବିରେ ଆସାମରେ ଦୀର୍ଘଦିନ ଧରି ହିଂସାତ୍ମକ ଆନ୍ଦୋଳନ ଚଳାଇଥିବା ବେଆଇନ୍ ଘୋଷିତ ବିଦ୍ରୋହୀ ସଂଗଠନ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ଅଫ୍ ବୋଡୋ ଲ୍ୟାଣ୍ଡ୍ (ଏନଡିଏଫବି) ସହ କେନ୍ଦ୍ର ସରକାର ସୋମବାର ଶାନ୍ତି ରାଜିନାମା କରିଛନ୍ତି। ଏହି ତ୍ରିପାକ୍ଷିକ ରାଜିନାମାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମସଚିବ ସତ୍ୟେନ୍ଦ୍ର ଗର୍ଗ, ଆସାମ ମୁଖ୍ୟ ଶାସନସଚିବ କୁମାର ସଞ୍ଜୟ କ୍ରିଷ୍ଣା ଏବଂ ଏନ୍ଡିଏଫ୍ବିର ୯ଟି ଗୋଷ୍ଠୀ ମଧ୍ୟରୁ ୪ଟି ଗୋଷ୍ଠୀର ପ୍ରତିନିଧି ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି।

ଏହି ରାଜିନାମା ଦ୍ୱାରା ବୋଡୋ ଆଦିବାସୀମାନଙ୍କୁ ରାଜନୈତିକ, ଆର୍ଥକ ଓ ପ୍ରଶାସନିକ ସହାୟତା ମିଳିବା ସହିତ ଭୂମି ଅଧିକାର ମିଳିବ। ଏହାଛଡ଼ା ସେମାନଙ୍କୁ ସାଂସ୍କୃତିକ ଓ ଭାଷାଗତ ସୁରକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମ୍ପ୍ରଦାୟ ବିକାଶ ପାଇଁ ମିଳିତ ଭାବେ ୧୫୦୦ କୋଟି ଟଙ୍କାର ଆର୍ଥକ ସହାୟତା ଯୋଗାଇଦେବେ। ରାଜିନାମା ସ୍ୱାକ୍ଷରିତ ହେବାପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି, ଏହା ଏକ ଐତିହାସିକ ରାଜିନାମା। ଆସାମ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହା ଶାନ୍ତି ଓ ବିକାଶର ପଥ ପରିଷ୍କାର କରିବ। ରାଜିନାମା ଅନୁଯାୟୀ ଜାନୁଆରୀ ୩୦ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ୧୫୫୦ ଜଣ ବିଦ୍ରୋହୀ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବେ। ସରକାର ବୋଡୋ ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବେ ବୋଲି ଶାହ କହିଛନ୍ତି।

ତ୍ରିପାକ୍ଷିକ ରାଜିନାମା ଅନୁଯାୟୀ, ସମ୍ବିଧାନର ଷଷ୍ଠ ଅନୁଛେଦ ମୁତାବକ ଏକ କମିଶନ ନିଯୁକ୍ତ କରାଯିବ। ଏଥିରେ ରାଜ୍ୟ ସରକାର ଓ ଅନ୍ୟାନ୍ୟ ପକ୍ଷର ପ୍ରତିନିଧି ରହିବେ। ବିଜ୍ଞପ୍ତି ଜାରି ହେବାର ୬ ମାସ ମଧ୍ୟରେ ଏହି କମିଶନ କେନ୍ଦ୍ର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ଗତ ୨୭ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ବୋଡୋ ରାଜିନାମା। ୧୯୯୩ରେ ଅଲ୍ ବୋଡୋ ଷ୍ଟୁଡେଣ୍ଟ୍ସ ୟୁନିଅନ୍ ସହ ପ୍ରଥମ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅନୁଯାୟୀ ବୋଡୋ ଲ୍ୟାଣ୍ଡ୍ ସ୍ୱୟଂଶାସିତ ପରିଷଦ ଗଠନ କରାଯାଇ ଏହାକୁ ସୀମିତ ରାଜନୈତିକ କ୍ଷମତା ପ୍ରଦାନ କରାଯାଇଥିଲା।

୨୦୦୩ରେ ଦ୍ୱିତୀୟ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଉଗ୍ରବାଦୀ ସଂଗଠନ ବୋଡୋ ଲିବରେସନ ଟାଇଗର୍ସ (ବିଏଲଟି) ସହ ଏହି ରାଜିନାମା କରାଯାଇଥିଲା। ରାଜିନାମା ଅନୁଯାୟୀ ଆସାମର ୪ଟି ଜିଲ୍ଲା କ୍ରୋକ୍ରାଝର, ଚିରାଙ୍ଗ, ବାସ୍କା ଓ ଉଦଲବୁରିକୁ ନେଇ ବୋଡୋ ଲ୍ୟାଣ୍ଡ୍ ଟେରିଟୋରିଆଲ୍ କାଉନସିଲ ଗଠନ କରାଯାଇଥିଲା। ଆସାମରେ ଦୀର୍ଘ ୫ ଦଶନ୍ଧି ଧରି ପୃଥକ୍ ବୋଡୋ ଲ୍ୟାଣ୍ଡ୍ ଗଠନ ପାଇଁ ଆନ୍ଦୋଳନ ଚାଲିଆସିଛି।