ଭୁବନେଶ୍ୱର,ଏନ୍ଏନ୍ଏସ୍: ସମୟ ସହ ତାଳ ଦେଇ ଯୁଗ ବଦଳୁଛି। ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ଅନଲାଇନ୍ ସପିଂ ସାଇଟ୍ ମାଧ୍ୟମରେ ଯେଭେଳି ନିଜ ମନପସନ୍ଦର ଜିନିଷ ଖୁବ୍ ସହଜରେ କିଣିହେଉଛି, ସେଭଳି ବର୍ତ୍ତମାନର ଯୁବପିଢି ଇଣ୍ଟରନେଟ୍ ସହାୟତାରେ ନିଜ ଜୀବନସାଥୀ ମଧ୍ୟ ଖୋଜିପାରୁଛନ୍ତି। ଭାରତ ମାଟ୍ରିମୋନି ଦ୍ୱାରା ଓଡ଼ିଶାରେ ଜୀବନସାଥୀ ଖୋଜିବାକୁ ସହଜ କରିବା ପାଇଁ ତିଆରି ହୋଇଥିବା ମାଟ୍ରିମୋନିଆଲ ସାଇଟ୍ ଓଡ଼ିଆ ମାଟ୍ରିମୋନିର ଏକ ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାର ଅଧିକାଂଶ ଲୋକ ମାଟ୍ରିମୋନି ସହାୟତାରେ ଜୀବନସାଥୀ ଖୋଜିବାକୁ ପସନ୍ଦ କରୁଛନ୍ତି।
ମାଟ୍ରମୋନି ବ୍ୟବହାରରେ ରାଜ୍ୟରେ ସବୁଠାରୁ ଆଗରେ ରହିଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଛଡ଼ା କଟକ, ଗଞ୍ଜାମ ଏବଂ ବାଲେଶ୍ୱରର ଅନେକ ଲୋକ ମାଟ୍ରିମୋନି ବ୍ୟବହାର କରୁଥିବା ନେଇ ସର୍ବେକ୍ଷଣରୁ ଜଣାଯାଇଛି। ବ୍ୟବହାରକାରୀଙ୍କ ମଧ୍ୟରେ ୨୨-୨୯ବର୍ଷୀୟା ମହିଳାଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ୨୫-୩୨ବର୍ଷୀୟ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ମହିଳାଙ୍କ କ୍ଷେତ୍ରରେ ୬୦ପ୍ରତିଶତ ପ୍ରୋଫାଇଲ୍ କନ୍ୟା ଦ୍ୱାରା ଖୋଲାଯାଇଥିବା ବେଳେ ୭୪ପ୍ରତିଶତ ବର ଦ୍ୱାରା ଖୋଲାଯାଉଛି। ବାକି ୭ପ୍ରତିଶତ ପ୍ରୋଫାଇଲ୍ ଝିଅ କିମ୍ବା ପୁଅର ପିତାମାତାଙ୍କ ଦ୍ୱାରା ଖୋଲାଯାଇଥିବା ବେଳେ ଅନ୍ୟଗୁଡ଼ିକ ଭାଇ-ଭଉଣୀମାନଙ୍କ ଦ୍ୱାରା ଖୋଲାଯାଇଥାଏ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କେବଳ ୭ପ୍ରତିଶତ ମହିଳା ଏବଂ ୧୦ପ୍ରତିଶତ ପୁରୁଷ ନିଜ ଜାତି ଛଡା ଭିନ୍ନ ଜାତିରେ ବିବାହ ପାଇଁ ପାତ୍ର ଖୋଜିଥା’ନ୍ତି। ମାଟ୍ରିମୋନିଆଲ ସାଇଟରେ ପୁରୁଷମାନଙ୍କ ମଧ୍ୟରେ ସର୍ବାଧିକ ବ୍ୟବସାୟୀ କିମ୍ବା ଉଦ୍ୟୋଗୀ ରହିଥିବା ବେଳେ ସଫ୍ଟୱୟାର ଅଥବା କର୍ପୋରେଟ୍ ସେକ୍ଟରର ଅଧିକାଂଶ ମହିଳା ପ୍ରୋଫାଇଲ୍ ଖୋଲୁଥିବା ନେଇ ସର୍ବେକ୍ଷଣରୁ ଜଣାଯାଇଛି। ଏହାଛଡ଼ା ବିବାହ ପାଇଁ ମାଟ୍ରିମୋନିଆଲ ସାଇଟରେ ଯୋଗ୍ୟତାକୁ ଗୁରୁତ୍ୱ ଦିଆଯାଉଥିବା କଥା ମଧ୍ୟ ଦେଖିବାକୁ ମିଳୁଛି। ୨୭ପ୍ରତିଶତ ମହିଳା ଏବଂ ୧୨ପ୍ରତିଶତ ପୁରୁଷ ନିଜପାଇଁ ମାଷ୍ଟର ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପାତ୍ର ଖୋଜୁଛନ୍ତି।
୯୧ପ୍ରତିଶତ ବ୍ୟବହାରକାରୀ ମୋବାଇଲଫୋନ୍ ମାଧ୍ୟମରେ ମାଟ୍ରିମୋନିଆଲ୍ ସାଇଟ୍ରେ ନିଜପାଇଁ ଜୀବନସାଥୀ ଠିକ୍ କରିପାରିଥିବା ନେଇ ସର୍ବେକ୍ଷଣରୁ ଜଣାଯାଇଛି। ଓଡ଼ିଶାର ଲକ୍ଷଲକ୍ଷ ଲୋକ ନିଜ ଜୀବନସାଥୀ ଖୋଜିବା ପାଇଁ ମାଟ୍ରିମୋନି ଉପରେ ଭରସା ରଖୁଥିବା ନେଇ ମାଟ୍ରିମୋନି ଡଟ୍ କମ୍ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମୁରୁଗାଭେଲ ଜାନକୀରମଣ କହିଛନ୍ତି।