ଉତ୍ତର ପ୍ରଦେଶ ଏଟିଏସ୍‌ର ଖୁଲାସା ସହ ଦେଶବ୍ୟାପୀ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ (ଏଟିଏସ) ଆତଙ୍କବାଦୀ ସଂଗଠନ ‘ଅଲକାଏଦାର’ ୨ ଜଣ ସଦସ୍ୟଙ୍କୁ ଲଖନଉରୁ ଗିରଫ କରିଛି। ଉତ୍ତର ପ୍ରଦେଶ ଏଟିଏସ ଆତଙ୍କବାଦୀର ଏକ ବଡ଼ ମଡ୍ୟୁଲ ପର୍ଦ୍ଦାଫାଶ କରିଛି। ଆତଙ୍କବାଦୀଙ୍କ ନିକଟରେ ବ୍ୟାପକମାତ୍ରାରେ ବିସ୍ଫୋରକ ସାମଗ୍ରୀ ଥିଲା। ସେମାନେ ପ୍ରେସରକୁକର ବୋମା ମଧ୍ୟ ରଖିଥିଲେ। ଏହା ପରେ ଦେଶର ଏକାଧିକ ରାଜ୍ୟରେ ପୋଲିସ ଓ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି।

ଲଖନଉରେ ଆତଙ୍କବାଦୀମାନେ ଧରାପଡ଼ିବା ପରେ ଦେଶର ସୁରକ୍ଷା ନେଇ ସତର୍କ ଘଣ୍ଟି ବାଜିଛି। ଜମ୍ମୁ-କଶ୍ମୀରରୁ ଆରମ୍ଭ କରି ଦେଶର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ବଡ଼ଧରଣର ଅପରେସନ ଆରମ୍ଭ ହୋଇଯାଇଛି। ଆତଙ୍କବାଦୀଙ୍କ ଚେର ବାଂଲାଦେଶରୁ ଲମ୍ବିଥିବା ଜଣାଯାଇଛି । ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ସୁରକ୍ଷା ସଂସ୍ଥା ଅପରେସନକୁ ତୀବ୍ର କରିଦେଇଛନ୍ତି।