ବୈଷ୍ଣୋଦେବୀ ଦଳାଚକଟା ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/କଟାରା,ଏଜେନ୍ସି: ଜମ୍ମୁସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି। ଟୁଇଟ କରି ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆତହମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ। ପ୍ରଧାନମନ୍ତ୍ରୀ ଦୁର୍ଘଟଣା ନେଇ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ କଥା ହୋଇଛନ୍ତି। ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିଂହ୍ନା କହିଛନ୍ତି, ବୈଷ୍ଣୋଦେବୀ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମିଳିବ। ସେହିପରି ଆହତ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଆହତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଜମ୍ମୁର କଟାରାରେ ହୋଇଥିବା ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପୋଲିସ କଣ୍ଟ୍ରୋଲ ରୁମ ପକ୍ଷରୁ କୁହାଯାଇଛି ଯେ, ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ପୋଷ୍ଟମର୍ଟମ କରାଯାଇଛି। କଟାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ମେଡିକାଲ ଅଧିକାରୀ ଡ଼ା. ଗୋପାଳ ଦତ୍ତ କହିଛନ୍ତି ଯେ ମୋଟ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।