ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି। ସେନା ଓ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିଲା ବେଳେ ମଝିରେ ମଝିରେ ଆତଙ୍କବାଦୀମାନେ ଉପଦ୍ରବ ସୃଷ୍ଟି କରୁଛନ୍ତି। କିନ୍ତୁ ସେନା ଓ ପୋଲିସ ଆତଙ୍କବାଦୀ ଉପରେ ନଜର ରଖୁଥିବାରୁ ସୁରକ୍ଷା ବ୍ୟବସ୍ଥା ମଜବୁତ ହୋଇପାରୁଛି। ବିଗତ ୨ ବର୍ଷ ମଧ୍ୟରେ ୧୮୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ୩୦୦ରୁ ଊର୍ଦ୍ଧ୍ୱ ଅସ୍ତ୍ର ଜବତ ହୋଇଛି। ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂହ ଏହା କହିଛନ୍ତି।
ଜମ୍ମୁ କଶ୍ମୀର ଡିଜିପି କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଆତଙ୍କବାଦୀମାନଙ୍କୁ ଅସ୍ତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ଆମେ ଏହାକୁ ସଫଳ କରାଇ ଦେଉନାହୁଁ। ବିଗତ ୨ ବର୍ଷ ମଧ୍ୟରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ବଡ଼ଧରଣର ହିଂସା କରିବା ପାଇଁ ପାକିସ୍ତାନ ଓ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିଲେ ମଧ୍ୟ ଏହା ସଫଳ ହୋଇପାରୁ ନାହିଁ।
ସୂଚନାଯୋଗ୍ୟ, ଗତକାଲି ଏକ ପାକିସ୍ତାନୀ ଡ୍ରୋନ୍ ଗ୍ରେନେଡ, ବିସ୍ଫୋରକ ସାମଗ୍ରୀ, ପିସ୍ତଲ ଆଦି ସାମଗ୍ରୀ ଜମ୍ମୁ କଶ୍ମୀରରେ ପକାଇଥିଲା। ପ୍ରଥମ ଥର ପାଇଁ ଏକ ତରଳ ପଦାର୍ଥର ରାସାୟନିକ ଦ୍ରବ୍ୟ ମଧ୍ୟ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ପଠାଇଥିଲା। ଏହି ତରଳ ଜିନିଷ କ’ଣ ହୋଇଥାଇପାରେ ତାହା ଆମେ ପରୀକ୍ଷା କରୁଛୁ ବୋଲି ଡିଜିପି କହିଛନ୍ତି।