ବଲାଙ୍ଗିର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ଗତକାଲି ଧାନ ସମେତ ଅନ୍ୟ ୧୪ଟି ଖରିଫ ଫସଲର ନୂତନ ସର୍ବନିମ୍ନ ମୂଲ୍ୟ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଧାନର ମୂଲ୍ୟ ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଂଚିଛି। ଏହି ମୂଲ୍ୟ ବୃଦ୍ଧିକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ନରସିଂହ ମିଶ୍ର କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ଚାଷୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ବିଜେପି ଯଦି କେନ୍ଦ୍ରରେ କ୍ଷମତାକୁ ଆସେ ତେବେ ଚାଷୀଙ୍କୁ ଅମଳ ଖର୍ଚ୍ଚର ଦେଢ଼ ଗୁଣା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗଇ ଦେବ ବୋଲି ସେସମୟରେ ମୋଦୀ ଚାଷୀଙ୍କୁ କଥା ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଗତ ସାତ ବର୍ଷର ଶାସନ ପରେ ମଧ୍ୟ କେନ୍ଦ୍ରର ମୋଦୀ ସରକାର ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ଅମଳ ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ଦେଇ ପାରୁନାହାନ୍ତି। ଗତ ବର୍ଷ ତୁଳନାରେ ଏବର୍ଷ ଧାନର ସର୍ବନିମ୍ନ ସହାୟତା ମୂଲ୍ୟରେ ମାତ୍ର ୭୨ ଟଙ୍କା ବଢ଼ାଇବା ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ମାରିବା ସଦୃଶ। ଯଦି ସରକାର ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ଦେବାକୁ ଚାହୁଁଛନ୍ତି ତେବେ ସ୍ୱାମୀନାଥନ କମିଶନ କରିଥିବା ସୁପାରିସ ଆଧାରରେ ଧାନର ସର୍ବନିମ୍ନ ମୂଲ୍ୟ କେନ୍ଦ୍ର ସରକାର ଧାରଣ କରନ୍ତୁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି। ଏପରି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଅସମର୍ଥ ତେବେ ତାଙ୍କୁ ଦେଶଦ୍ରୋହୀ କୁହାଯିବ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି।