୧୬ ଖଣ୍ଡ ଗୌଡ଼ ସମାଜ ପକ୍ଷରୁ ନନ୍ଦ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗଡ଼ାର ଗୌଡ଼ସାହିସ୍ଥିତ ଗୌଡ଼ ସମାଜ ଗୃହରେ ୧୬ଖଣ୍ଡ ଗୌଡ଼ ସମାଜ ପକ୍ଷରୁ ନନ୍ଦ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ନିକୁଞ୍ଜ ଶତପଥୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ପୂଜାରେ କର୍ତ୍ତାଭାବେ ଗୌଡ଼ ସମାଜର ବ୍ଲକ ସଭାପତି ପଦ୍ମନାଭ ବେହେରା ଦାୟିତ୍ତ୍ୱ ତୁଲାଇଥିଲେ । ଏହି ଅବସରରେ ପାରମ୍ପରିକ ଦହି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମାଜର ପ୍ରାୟ ୧୭ଜଣ କୁନି କୁନି ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ପଦ୍ମନାଭ ବେହେରା, ବ୍ଲକ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୌଡ଼, ମୁନିଗୁଡ଼ା ସଭାପତି ହାଡ଼ିପା ଗୌଡ଼ ଓ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦୋରା ପ୍ରମୁଖଙ୍କ ସମେତ ସମାଜର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହାସହ ପିଲାଙ୍କୁ ନୃତ୍ୟ ଓ ଗୀତ ଶିଖାଇଥିବା ଗୁରୁ ଅମିତ୍ ସାହୁ ଓ ସଂଯୋଜକ ଉତ୍ତମ କୁମାର ଦାଶଙ୍କୁ ମଧ୍ୟ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଥିଲା ।