ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ

ପୁରୀ,ଏନ୍‌ଏନ୍‌ଏସ୍‌: ଦୀର୍ଘ ୨୬ ବର୍ଷ ପରେ ଆସନ୍ତା ନଭେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ଏହି ବେଶକୁ ନେଇ ଦୀର୍ଘଦିନରୁ କଳ୍ପନା ଜଳ୍ପନା ଲାଗି ରହିଥିଲା । କୋଭିଡ଼ କଟକଣା ପାଇଁ ଦୀର୍ଘ ୭ ମାସ ହେଲା ମନ୍ଦିର ବନ୍ଦ ରହିଥିବାରୁ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରି ରହିଥିଲେ । ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ଏବଂ ଦର୍ଶନାର୍ଥୀମାନେ ନାଗାର୍ଜୁନ ବେଶର ଦର୍ଶନର ସୁଯୋଗ ପାଇବେ କି ନାହିଁ ସେ ସଂକ୍ରାନ୍ତରେ ବିଭିନ୍ନ ବର୍ଗର ଲୋକମାନଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ମତାମତ ଲୋଡ଼ିଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତା, ପରିଚାଳନା କମିଟି ସଦସ୍ୟ, ବୁଦ୍ଧିଜୀବୀ, ସମାଜସେବୀ ଓ ବ୍ୟବସାୟୀମାନଙ୍କ ସହ ପର୍ଯ୍ୟାୟକ୍ରମେ ୫ ଦିନ ଧରି ଭର୍ଚୁଆଲ ବୈଠକ କରିଥିଲେ । ବହୁ ସେବାୟତ ଇତିମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ ମନ୍ଦିର ଖୋଲାଗଲେ ଅଧିକ ସେବାୟତ ଆକ୍ରାନ୍ତ ହେବେ, ଯଦ୍ୱାରା ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ବାଧାପ୍ରାପ୍ତ ହେବ ବୋଲି ବିଭିନ୍ନ ସେବାୟତ ନିଯୋଗ ମତ ଦେବା ସହ କାର୍ତ୍ତିକ ମାସ ପରେ ମନ୍ଦିର ଖୋଲାଯିବା ନେଇ ଆଲୋଚନା କରାଯିବା ପାଇଁ ମତ ରଖିଥିଲେ । କାର୍ତ୍ତିକ ମାସରେ ଆସିବାକୁ ଥିବା ହବିଷ୍ୟାଳିମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧ୍ୟ ମନ୍ଦିର ଖୋଲାନଯିବା ପାଇଁ ବିଭିନ୍ନ ବର୍ଗ ମତ ରଖିଥିଲେ ।

ଅପରପକ୍ଷରେ ମନ୍ଦିର ଭିତରକୁ ଦର୍ଶନାର୍ଥୀଙ୍କୁ ଛଡ଼ାନଗଲେ ମଧ୍ୟ ନାଗାର୍ଜ୍ଜୁନ ବେଶ ଅନଲାଇନ ମାଧ୍ୟମରେ ଭକ୍ତମାନଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବାକୁ କେତେକ ପ୍ରସ୍ତାବ ଦେଇଥିଲେ । ପ୍ରଶାସନ ଏହାକୁ ଗ୍ରହଣ କରିନାହିଁ । ତେବେ ସେବାୟତମାନଙ୍କ ସହ ବୈଠକରେ ମୋଟାମୋଟି ଭାବେ କାର୍ତ୍ତିକ ମାସ ଶେଷ ନହେବା ପର୍ଯ୍ୟନ୍ତ ମନ୍ଦିର ଖୋଲାନଯିବା ଓ ବିନା ଭକ୍ତରେ ନାଗାର୍ଜୁନ ବେଶ କରାଯିବା ସପକ୍ଷରେ ମତପ୍ରକାଶ ପାଇଥିଲା । ଏହିଭଳି ପୃଷ୍ଠଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ନାଗାର୍ଜୁନ ବେଶ । ବିଧି ଅନୁଯାୟୀ ଶ୍ରୀଜିଉମାନଙ୍କୁ ନାଗାର୍ଜୁନ ବେଶ କରାଯିବ, କିନ୍ତୁ ଭକ୍ତମାନଙ୍କୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୁଯୋଗ ମିଳିବ ନାହିଁ ।