ଅଷ୍ଟ୍ରେଲିଆନ୍ ଓପନ୍‌: କ୍ରେଜିକୋଭା-ସିନିଆକୋଭା ମହିଳା ଡବଲ୍ସ ଚାମ୍ପିଅନ୍‌

ମେଲ୍‌ବର୍ଣ୍ଣ,ଏଜେନ୍ସି: ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ଓ କାଟେରିନା ସିନିଆକୋଭାଙ୍କ ଯୋଡ଼ି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମ ସେଟ୍‌ରେ ପଛୁଆ ଥିବା ଟପ୍ ସିଡ୍ ଯୋଡ଼ି ପ୍ରତ୍ୟାବର୍ତ୍ତନ କରି କଜାକ୍‌ସ୍ତାନର ଆନ୍ନା ଦାନିଲିନା ଓ ବ୍ରାଜିଲ୍‌ର ବିଟ୍ରିଜ୍ ହଡ୍ଡାଦ୍ ମାଇୟାଙ୍କ ଯୋଡ଼ିକୁ ୬-୭(୩), ୬-୪, ୬-୪ରେ ହରାଇ ଦେଇଥିଲେ। ପ୍ରଥମ ସେଟ୍‌ରେ ଅଣସିଡେଡ୍ ଯୋଡ଼ି ପ୍ରଭାବଶାଳୀ ପ୍ରଦର୍ଶନ କରି ଅଲିମ୍ପିକ୍ ଚାମ୍ପିଅନ୍‌ଙ୍କ ବିପକ୍ଷରେ ଟାଇବ୍ରେକର୍‌ରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ସେଟ୍‌ରେ ଲୟ ଫେରି ପାଇଥିବା ଚେକ୍ ଯୋଡ଼ି ପ୍ରତ୍ୟାବର୍ତ୍ତନ କରି ବିଜୟୀ ହେବା ସହ ସ୍ଥିତି ବରାବର କରିଥିଲେ।

ନିର୍ଣ୍ଣାୟକ ସେଟ୍‌ର ପଞ୍ଚମ ଗେମ୍‌ରେ ହଡ୍ଡାଦ୍ ମାଇୟାଙ୍କ ସର୍ଭିସ୍ ବ୍ରେକ୍ କରି କ୍ରେଜିକୋଭା ଓ ସିନିଆକୋଭା ଆଡ୍‌ଭାଣ୍ଟେଜ୍ ହାସଲ କରିଥିଲେ ଏବଂ ଦୁଇଟି ଗେମ୍ ପରେ ଦାନିଲିନାଙ୍କ ସର୍ଭିସ୍‌ରେ ସିନିଆକୋଭାଙ୍କ ଫୋର୍‌ହ୍ୟାଣ୍ଡ୍ ୱିନର୍ ମାଧ୍ୟମରେ ମ୍ୟାଚ୍ ଜିତି ନେଇଥିଲେ। ପୂର୍ବରୁ ଏକାଠି ଖେଳି ୨୦୧୮, ୨୦୨୧ ଫ୍ରେଞ୍ଚ୍ ଓପନ୍‌ ଓ ୨୦୧୮ ୱିମ୍ବଲଡନ୍ ଚାମ୍ପିଅନ୍ ହୋଇଥିବା ଚେକ୍ ଯୋଡ଼ିଙ୍କର ଏହା ଚତୁର୍ଥ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍।