ନବରଙ୍ଗପୁର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ନିର୍ଯ୍ୟାତିତ ହେଉଥିବା ୧୬ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ ଉଦ୍ଧାର କରିଛି । ଏନେଇ ପ୍ରେସମିଟରେ ଏସପି ଏସ. ସୁଶ୍ରୀ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନାନୁସାରେ, ଠିକାଦାରଙ୍କ ଦ୍ୱାରା ପ୍ରଲୋଭନର ଶିକାର ହୋଇ ଭଲ ରୋଜଗାର ଆଶାରେ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତର୍ଗତ ଦେଓପାଲି ଗ୍ରାମର ୧୬ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ବାଣ୍ଟୁମିଲି ଥାନା ଅନ୍ତର୍ଗତ କ୍ରିଷ୍ଣା ଜିଲ୍ଲାର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ତେବେ ସେଠାରେ ସେମାନଙ୍କୁ କାମ ବଦଳରେ ନିର୍ଯ୍ୟାତନା ଦିଆଯାଉଥିଲା । କାମ ବାବଦକୁ ଟଙ୍କା ଦିଆଯାଉଥିଲା, ଭଲ ଖାଇବା ଦିଆଯାଉ ନଥିଲା ଓ ପରିବାର ସହିତ କୌଣସି ଯୋଗାଯୋଗ କରିବାକୁ ମଧ୍ୟ ଦିଆଯାଉ ନଥିଲା । ଏନେଇ ଗତ ମେ’ ମାସରେ ଖାତିଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ତତ୍ପରତା ଦେଖାଇ ଏକ ସ୍ୱତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶର ସେହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ପଠାଇ ସେଠାରେ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୩ଜଣ ନାବାଳକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୧୩ ବର୍ଷ ଓ ଅନ୍ୟ ୨ଜଣଙ୍କ ବୟସ ୧୬ ବୋଲି ଏସପି ଏସ. ସୁଶ୍ରୀ ସୂଚନା ଦେଇଛନ୍ତି । ତେବେ କାମ କରିବାକୁ ନେଇଥିବା ଠିକାଦାର ଓ ଫ୍ୟାକ୍ଟ୍ରି ମାଲିକ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଖାତିଗୁଡ଼ା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।