ନିଆଁ ଲାଗି ଜଳିଗଲା ୩୦ ଟି ଧାନ ଗଦା

ନବରଙ୍ଗପୁର, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ରବଣାଗୁଡା ଗ୍ରାମରେ ଆଜି ଅପରାହ୍ଣରେ ୩୦ ଟି ଧାନ ଗଦାରେ ନିଆଁ ଲାଗି ପୋଡ଼ିଯାଇଛି । ପ୍ରକାଶ ଯେ, ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ରବଣାଗୁଡା ଗ୍ରାମର ଗୁରୁବନ୍ଧୁ ଭତ୍ରା, ମନବୋଧ ଭତ୍ରା, ଚୈତନ ଭତ୍ରା, ଗଙ୍ଗାଧର ଭତ୍ରା, କୁମ ଭତ୍ରା, ମାନସିଂ ଭତ୍ରା, ବନସିଂ ଭତ୍ରା, ଉଦ୍ଧବ ଭତ୍ରା, ଖଗ ଗୌଡ଼, ସୁରେନ୍ଦ୍ର ଭତ୍ରା, ମାଧବ ଗୌଡ଼, ମକରନ୍ଦ ଭତ୍ରା, ଭଗବାନ ଭତ୍ରା ଓ ଘାସିରାମ ପୂଜାରୀ ପ୍ରମୁଖ ନିଜ ଜମିରେ ଚାଷ କରିଥିବା ଧାନ ଆଣି ଗୋଟିଏ ଖଳାରେ ଗଦା କରି ରଖିଥିଲେ ।

ଆଜି ଅପରାହ୍ଣରେ ସେହି ଧାନ ଗଦାରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେଣୁ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଦମକଳ ଗାଡି ପହଞ୍ଚିବା ବେଳକୁ ୮୦% ଧାନ ପୋଡି ନଷ୍ଟ ହୋଇଯାଇଥିଲା । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ । ପରେ ଡାବୁଗାଁ ତହସିଲଦାରଙ୍କୁ ଅବଗତ କରାଇଥିଲେ। ଡାବୁଗାଁ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରି ଚାଷୀ ମାନଙ୍କୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ବିଧାୟକଙ୍କୁ ଅନୁରୋଧ କରିଥିଲେ । ବିଧାୟକଙ୍କ ସମେତ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିଲେ।