ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ସ୍ୱର୍ଗତଃ ନବ ଦାସଙ୍କ ଶେଷକୃତ୍ୟ ଖେରୁଆଳଠାରେ ସମ୍ପନ୍ନ ହୋଇଛି । ପୁଅ ବିଶାଲ ଦାସ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଏହାପୂର୍ବରୁ ସ୍ୱର୍ଗତଃ ଦାସଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ଆଜି ସକାଳ ୧୧ଟାରେ ସ୍ୱର୍ଗତ ଦାସଙ୍କର ପାର୍ଥୀବ ଶରୀର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲା । ବିମାନବନ୍ଦରରୁ ଏକ ଅନ୍ତିମ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତାଦେଇ ପ୍ରଥମେ ତାଙ୍କ ବେହେରାମାଲସ୍ଥିତ ବାସଭବନରେ ଅଟକିଥିଲା । ସେଠାରେ କିଛି ସମୟ ସ୍ୱର୍ଗତ ଦାସଙ୍କର ଦର୍ଶନ ପରେ ଏକ ବିରାଟ ଶୋଭାଯାତ୍ରାରେ ମନମୋହନ ସ୍କୁଲ ପଡ଼ିଆକୁ ଅଣାଯାଇଥିଲା । ଶେଷଯାତ୍ରାରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେଡିର ପ୍ରଣବ ପ୍ରକାଶ ଦାଶ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ରିତା ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ, ଦିବ୍ୟ ଶଙ୍କର ମିଶ୍ର, ଦେବେଶ ଆଚାର୍ଯ୍ୟ, ନାଉରୀ ନାୟକ, ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ଜୟ ନାରାୟଣ ମିଶ୍ର ଓ କୁସୁମ ଟେଟେ ଝାରସୁଗୁଡ଼ାରେ ଉପସ୍ଥିତ ଥିଲେ । ଏଥିସହିତ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୫ଟି ସଚିବ ଭିକେ ପାଣ୍ଡିୟାନ ଏବଂ ଅନ୍ୟାନ୍ୟ ପ୍ରଶାସାନିକ ଅଧିକାରୀ ଝାରସୁଗୁଡ଼ା ଆସିଥିଲେ । ଶେଷଥର ଲାଗି ନିଜ ପ୍ରିୟ ନେତାଙ୍କୁ ଦେଖିବା ପାଇଁ ଦଶ ହଜାରରୁ ଊର୍‌ଦ୍ଧ୍ୱ ବ୍ୟକ୍ତିଙ୍କ ସମାଗମ ହୋଇଥିଲା ।