ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ଦର୍ଶାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ବୋଥ୍ରା କହିଛନ୍ତି ଯେ, ଘଟଣାସ୍ଥଳର ଯାଞ୍ଚ କରାଯାଇଛି । ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । କାହିଁକି ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ସ୍ୱର୍ଗତଃ ନବ ଦାସଙ୍କ ଗସ୍ତ ପାଇଁ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡ୍ୟୁଟି ଦିଆଯାଇଥିଲା । ପାଖାପାଖି ୧୨ଟା ୨୦ ମିନିଟରେ ସ୍ୱର୍ଗତଃ ଦାସ ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡ୍ୟୁଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ । ସେହି ସମୟରେ ଗୋପାଳଙ୍କୁ ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ରାମପୁର ପୁଲିସ ଆଉଟପୋଷ୍ଟ କନେଷ୍ଟବଳ କେସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଗୋପାଳ ଆଉ ୨ ରାଉଣ୍ଡ ଫାୟାରିଂ କରିଥିଲା । ଫଳରେ କାଳୀନଗର ବାସିନ୍ଦା ଜୀବନ ନାୟକ ଆହତ ହୋଇଥିବାବେଳେ ବ୍ରଜରାଜନଗର ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା । ଏନେଇ ଗୋପାଳଙ୍କ ନାଁରେ ବ୍ରଜରାଜନଗର ଥାନାରେ ଆଇଆଇସିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା ।