ନିର୍ମାଣର ଦୀର୍ଘ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହେଉନି ଶବ ବ୍ୟବଛେଦ ଗୃହ, ମରାମତି ନାମରେ ଚାଲିଛି ହରିଲୁଟ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ନିର୍ମାଣର ଦୀର୍ଘ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି ଶବ ବ୍ୟବଚ୍ଛେଦ ଗୃହ। ମାତ୍ର ମରାମତି ନାମରେ ବ୍ୟୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକ ସଦର ମହକୁମା ଠାରେ। ଜିଲ୍ଲାର ୨୪ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ପ୍ରମୁଖ ବ୍ଲକ୍‌ ଭାବେ ଜଣାଶୁଣା ବାରକୋଟ ବ୍ଲକ୍‌ରେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଦୀର୍ଘ ବର୍ଷରୁ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ ଆଜି ପର୍ଯ୍ୟନ୍ତ ବ୍ୟବହୃତ ହୋଇ ପାରିନାହିଁ। ଏପରିକି ଉକ୍ତ ବ୍ୟବଚ୍ଛେଦ ଗୃହ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ଲକ୍‌ କର୍ତ୍ତୃପକ୍ଷ ଖର୍ଚ୍ଚ କରୁଥିଲେ ମଧ୍ୟ ମରାମତି ପରେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ନ କରିବା ଜନ ସାଧାରଣଙ୍କ ମନରେ ଦୁର୍ନତିର ଗନ୍ଧ ସୃଷ୍ଟି କରିଛି।

ପ୍ରାୟ ଏକ ଲକ୍ଷ ଜନ ସଂଖ୍ୟା ବିଶିଷ୍ଠ ବାରକୋଟ ବ୍ଲକ୍‌ ମୁଖ୍ୟଳୟ ଦେଇ ମୁମ୍ବାଇ-କଲିକତା ୪୯ ଓ ରାଞ୍ଚି – ବିଜୟୱାଡା ୨୩ ନମ୍ବର ଜାତୀୟ ରାଜପଥ ସହ ୧୦ ନମ୍ବର ରାଜ୍ୟ ରାଜପଥ ଯାଇଥିବାବେଳେ ବହୁ ପାହାଡିଆ ଓ ଦୁର୍ଗମ ଅଞ୍ଚଳ ରହିଛି। ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ହେଉ କିମ୍ବା କୌଣସି ଅପମୃତ୍ୟୁ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କିନ୍ତୁ ବ୍ଲକ୍‌ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ କୌଣସି ସୁବିଧା। ଫଳରେ ଅଞ୍ଚଳବାସୀ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ କିମ୍ବା ଅନୁଗୁଳ ଜିଲ୍ଲା ପାଲଲହଡା ଡାକ୍ତରଖାନା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଫଳରେ ଆର୍ଥିକ ଅନଗ୍ରସର ଅଞ୍ଚଳର ମୃତକଙ୍କ ପରିବାରକୁ ଆର୍ଥିକ ବୋଝ ପଡିବା ସହ ବେଳେ ବେଳେ ଶବ ସତ୍କାର ପାଇଁ ଦିନେ ଦୁଇଦିନ ସମୟ ଲାଗିଥାଏ। ଫଳରେ ମୃତକଙ୍କ ପରିବାର ହେଉ କିମ୍ବା ପୁଲିସ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l

ନବ ନିର୍ମିତ ଶବ ବ୍ୟବଛେଦ ଗୃହର କାର୍ଯ୍ୟକାରୀ ସମ୍ପର୍କ ମତାମତ ପାଇଁ ବାରକୋଟ ବ୍ଲକ ବିଡ଼ିଓ ଆକାଶ ସାହୁଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ମତାମତ ଦେବାକୁ ରୋକଠୋକ ମନା କରିଛନ୍ତି ତେବେ ବାରକୋଟ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ବାବୁ ସିଂଙ୍କ ମତାମତ ଲୋଡ଼ିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ବ୍ଲକ କର୍ତ୍ତୃପକ୍ଷ ଶବଗୃହ କୁ ଡାକ୍ତରଖାନାକୁ ହସ୍ତାନ୍ତର କଲେ ଅବିଳମ୍ବେ ଶବ ବ୍ୟବଛେଦ ଗୃହକୁ କାର୍ଯ୍ୟ କରି କରାଯିବ ବୋଲି ପ୍ରକାଶ କରିଛନ୍ତି।