ବିଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ୩ନଂ ୱାର୍ଡ କନକ ଦୁର୍ଗା ମନ୍ଦିର ନିକଟ ବିଲରୁ ଆଜି ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ୩ନଂ ୱାର୍ଡ ମଠସାହିରେ ଭଡ଼ା ଘରେ ରହୁଥିବା ବିଶୁ ନାୟକ(୩୨)। ପୁଲିସ ସୂଚନା ଅନୁସାରେ ଯୁବକ ଜଣଙ୍କ ଗତକାଲି ରାତ୍ରିରେ କୌଣସି କାରଣକୁ ନେଇ ନିଜ ସ୍ତ୍ରୀ ସହ ପାଟି ତୁଣ୍ଡ କରି ଘରୁ ଚାଲିଯାଇଥିଲେ। ଆଜି ସକାଳ ପର୍ଯ୍ୟନ୍ତ ବିଶୁ ନିଜ ଘରକୁ ଫେରିନଥିବା ବେଳେ ସ୍ତ୍ରୀ କାମ ପାଇଁ ଘରୁ ପ୍ରତ୍ୟୁଷରୁ ବାହାରି ଯାଇଥିଲେ।

ଉକ୍ତ ଅଞ୍ଚଳର କେତେକ ଲୋକ ଶୌଚ ପାଇଁ ବିଲକୁ ଯାଇଥିବା ବେଳେ ବିଲରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତ ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ମୃତ ଯୁବକ ଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଏନେଇ ଦେବଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।