ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମରେ ଗତ ଏପ୍ରିଲ ୧୭ ତାରିଖ ଦିନ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଉକ୍ତ ଗ୍ରାମର ବିଭୁତି ଭୂୟାଁ ନାମକ ଜଣେ ଯୁବକର ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଉକ୍ତ ଗ୍ରାମର ଶିକାରୀ ଶୁଶିଲ କୁମାର ମଲ୍ଲିକ(୪୦) ଓ ତାଙ୍କ ବାପା କ୍ଷମାନିଧି ମଲ୍ଲିକ(୭୦) ସମ୍ପୃକ୍ତ ଥିବା ଜଣାପଡିଛି।
ପରେ ଗ୍ରାମବାସୀମାନେ ଶୁଶିଲଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ କ୍ଷମାନିଧି ଫେରାର ହୋଇଯାଇଥିଲେ। ଏହି ମାମଲାରେ ଶିକାରୀ ଶୁଶିଲଙ୍କୁ ପୁଲିସ ଜେଲ ହାଜତକୁ ପଠାଇଥିବା ବେଳେ କ୍ଷମାନିଧି ସେବେ ଠାରୁ ଫେରାର ହୋଇ ସମ୍ବଲପୁର ଜିଲ୍ଲା ନାକଟିଦେଉଳରେ ଥିବା ନିଜ ଶ୍ୱଶୁର ଘରେ ଆତ୍ମ ଗୋପନ କରିଥିଲା। ତେବେ ଗତ କାଲି କ୍ଷମାନିଧିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମଧ୍ୟାହ୍ନରେ ନିଜ ଗ୍ରାମ ବଲଣ୍ଡାକୁ ଫେରାଇ ଆଣିଥିଲେ।
ପରେ ସନ୍ଧ୍ୟା ସମୟରେ କ୍ଷମାନିଧିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ କ୍ଷମାନିଧିଙ୍କ ସ୍ତ୍ରୀ ସୌଦାମିନୀ ମଲ୍ଲିକ ବାରକୋଟ ଥାନାରେ ଗ୍ରାମବାସୀଙ୍କ ଆକ୍ରମଣ କାରଣରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଏହି ଘଟଣାରେ ଉକ୍ତ ଗ୍ରାମର ୧୨ ଜଣ ବ୍ୟକ୍ତିଙ୍କ ବିରୋଧରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।