ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା ସ୍ତ୍ରୀ

ବ୍ରହ୍ମପୁର,ଏନଏନଏସ: ସ୍ଥାନୀୟ ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ମନ୍ଦିର ନିକଟ ମଶାଶି ପଦର ସାହିରେ ଜଣେ ବ୍ୟକ୍ତି ନିଜ ପତ୍ନୀର ପ୍ରେମ ସମ୍ପର୍କକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛି। ଏହି ଘଟଣାରେ ପୁଲିସ ମୃତ ସ୍ୱାମୀ ପ୍ରଫୁଲ୍ଲ ସାହୁଙ୍କ ପତ୍ନୀ ମିତା ସାହୁ ଏବଂ ତାଙ୍କ ପ୍ରେମିକ ସରୋଜ ମହାରଣାଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାହୁ ଜଣେ ତାପି ମିସ୍ତ୍ରି ଭାବେ ଦୀର୍ଘ ଦିନ ଧରି କାମ କରୁଥିଲେ। ଇତି ମଧ୍ୟରେ ୮ ବର୍ଷ ଧରି ପ୍ରଫୁଲ୍ଲ ସାହୁ ଏବଂ ମିତା ସାହୁଙ୍କ ମଧ୍ୟରେ ବିବାହ ହୋଇଥିଲା। ବିବାହ ପରେ ଉଭୟେ ସ୍ଥାନୀୟ ସୁକୁୂଣ୍ଡା ମନ୍ଦିର ନିକଟସ୍ଥ ମଶାଣି ପଦର ସାହିରେ ରହୁଥିଲୋ।

ପ୍ରଫୁଲ୍ଲ ଏବଂ ମିତାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଜନ୍ମ ହୋଇଛନ୍ତି। ଗତ ଦୁଇ ମାସ ପୂର୍ବେ ପ୍ରଫୁଲ୍ଲଙ୍କ ପତ୍ନୀ କେଉଁଆଡ଼େ ବସ୍ରେ ଯାଉଥିବା ବେଳେ ହଠାତ୍ କଳାହାଣ୍ଡି ଅଞ୍ଚଳର ଜଣେ ଯୁବକ ସରୋଜ ମହାରଣାଙ୍କ ସହ ପ୍ରଫୁଲ୍ଲଙ୍କ ପତ୍ନୀଙ୍କ ବନ୍ଧୁତା ହୋଇଥିଲା। ସମ୍ପର୍କ ଧୀରେ ଧୀରେ ବଢ଼ିଥିଲା। ଏପରି ଅବସ୍ଥାରେ ସରୋଜ ନିଜକୁ ମିତାଙ୍କ ଧରମ ଭାଇ ବୋଲି କହି ଘରକୁ ବାରମ୍ବାର ଆସିବା ସହ ଅଧିକାଂଶ ସମୟ ଘରେ ହିଁ ରହୁଥିଲେ। ଏହାକୁ ନେଇ କିଛି ଦିନ ହେଲା ସ୍ୱାମୀ ପ୍ରଫୁଲ୍ଲ ସାହୁ ସନ୍ଦେହ କରିବା ସହ ପତ୍ନୀଙ୍କ ଧର୍ମ ଭାଇ ସରୋଜଙ୍କୁ ବାରମ୍ବାର ଘରକୁ ଆସିବାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

ତେବେ ମଙ୍ଗଳବାର ଦିନ ପ୍ରଫୁଲ୍ଲ ସାହୁ ନିଜ ମା’ ଏବଂ ଭଉଣୀଙ୍କୁ ଚିକିଟି ଗ୍ରାମକୁ ଛାଡ଼ିବା ପାଇଁ ଯାଇଥିବା ବେଳେ ରାତି ୧୧ଟା ସମୟରେ ଘରକୁ ଫେରିଥିଲେ। ଏହି ସମୟରେ ସୁକୁଣ୍ଡା ନିକଟସ୍ଥ ମଶାଣି ପଦର ସାହି ଘରେ ପ୍ରଫୁଲ୍ଲଙ୍କ ପତ୍ନୀଙ୍କ ସମେତ ତାଙ୍କ ଧର୍ମ ଭାଇ ସରୋଜ ମଧ୍ୟ ଥିଲେ। ଏହାକୁ ନେଇ ତିନି ଜଣଙ୍କ ମଧ୍ୟରେ ବେଶ୍ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରଫୁଲ୍ଲଙ୍କ ପତ୍ନୀ ମିତା ସାହୁ ଏବଂ ତାଙ୍କ ପ୍ରେମିକ ସରୋଜ ପ୍ରଥମେ ପ୍ରଫୁଲଙ୍କ ତଣ୍ଟି ଚିପି ହତ୍ୟା କରିବା ସହ ଛଟପଟ ହେଉଥିବା ବେଳେ ଠେଙ୍ଗାରେ ପ୍ରଫୁଲ୍ଳଙ୍କ ମୁହଁ ଏବଂ ମୁଣ୍ଡକୁ ପ୍ରବଳ ଆଘାତ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।