କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଭିତରେ ସୋମବାର ଚିତ୍ରକୋଣ୍ଡା ପଂଜାବୀ ଛକ ନିକଟସ୍ଥ ଢେପସାହିର ସମରା ତନ୍ତୀକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ଥିଲା। ହତ୍ୟା ଘଟଣାର ଖବର ପାଇ ଚିତ୍ରକୋଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ସମରାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କହିଥିଲେ।
ଆଜି ଶବ ବ୍ୟବଛେଦ ପରେ ଶବ ଦାହ ପାଇଁ ପୋଲିସ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଚିତ୍ରକୋଣ୍ଡା ଥାନାଧିକାରୀ ଘଟଣାକୁ ଗୁରୁତର ସହ ନେଇ ଏକ ସାଇଣ୍ଟିଫିକ ଟିମ ସହ କୁକୁରକୁ ଘଟଣା ସ୍ଥଳକୁ ପଠାଇ ତଦନ୍ତକୁ ଜୋରଦାର କରାଯାଇଥିଲା। ତଥାପି ପରିବାର ଲୋକେ ଓ ଗ୍ରାମବାସୀ ମିଶି ଶବକୁ ଥାନା ଆଗରେ ରଖି ଧାରଣା ବସି ଗିରଫ କରାଯାଇଥିବା ଅଭିଯୁକ୍ତ ହତ୍ୟାକାରୀକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରି ବସିଥିଲେ । ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର, ଏସଆଇ ବିକ୍ରମ କେଶରି ବଳିଆରସିଂ ଜନସାଧାରଣଙ୍କୁ ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ବୋଲି ଗ୍ରାମବାସୀ ଓ ପରିବାର ଵର୍ଗଙ୍କୁ ବୁଝା ସୁଝା କରିବା ପରେ ପରିବାର ଲୋକେ ଶବ ଧରି ନିଜ ଘରକୁ ଫେରିଥିଲେ।
ତେବେ ଗଞ୍ଜେଇ ବ୍ୟବସାୟ ଲାଭ ବଣ୍ଟା ନେଇ ହତ୍ୟା ହୋଇଥିବା ନେଇ ଚର୍ଚ୍ଚା ହେଉଛି, ହତ୍ୟାକାଣ୍ଡ ର କାରଣ ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇନାହିଁ। ଚିତ୍ରକୋଣ୍ଡା ପୋଲିସ ସନ୍ଦେହରେ କିଛି ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ସହ ଅଧିକ ତଦନ୍ତ ଜାରି ରଖିଛି। ଏପଟେ ହତ୍ୟାକାଣ୍ଡ ଘଟିଥିବା ମିନି ଷ୍ଟାଡିଅମଟି ଦୀର୍ଘ ବର୍ଷ ହେଲା ଅନ୍ଧାର ମଧ୍ୟରେ ପଡି ରହିଥିଲା ତେବେ ଉକ୍ତ ହତ୍ୟାକାଣ୍ଡ ଘଟିବାର ୨୪ ଘଣ୍ଟା ନପୁରୁଣୁ ମିନି ଷ୍ଟାଡିଅମରେ ବର୍ତ୍ତମାନ ଲାଇଟ ଲଗାଯାଇଥିବା ଦେଖିବାକୁ ମିଳିଛି।