କାର ଚଲାଇବା ପୁଅକୁ ପଡ଼ିଲା ମହଙ୍ଗା : ବାପା ଗଣିଲେ ତଣ୍ଡ

ରାୟଗଡା : ନିୟମ ଭାଙ୍ଗିଲା ପୁଅ, ତଣ୍ଡ ଗଣିଲେ ବାପା । ୧୩ ବର୍ଷର ନାବାଳକ କାର ଚଳାଇବା ମହଙ୍ଗା ପଡ଼ିଛି । ଜରିମାନା ବାବଦରେ ୨୫ ହଜାର ଟଙ୍କା ଗଣିଛନ୍ତି ବାପା । ଘଟଣାଟଇ ଘଟିଛି, ରାୟଗଡ଼ା ସଦର ରିଂ ରୋଡ଼ରେ । ଟ୍ରାଫିକ ନିୟମ ଅବମାନନା ମହଙ୍ଗା ପଡ଼ିଛି ନାବାଳକଙ୍କୁ।

ସୂଚନା ଅନୁଯାୟୀ, ରାୟଗଡା ଅଶୋକ ନଗରର ଶେଖ ତାଫିବୁଲଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଏକ କାରରେ ଦ୍ରୃତ ଗତିରେ ଯାଉଥିବା ବେଳେ କାରଟିକୁ ସ୍ଥାନୀୟ ଲୋକ ଅଟକାଇଥିଲେ । ଏନେଇ ଆରଟିଓ ଏବଂ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆରଟିଓ ଏବଂ ପୁଲିସ ପହଂଚି ମୋଟା ଅଙ୍କର ଜରିମାନା ପାଇଁ ରସିଦ କାଟିଥିଲେ । ଘଟଣାସ୍ଥଳରେ ନାବାଳକଙ୍କ ପରିବାର ଲୋକ ମଧ୍ୟ ପହଂଚି ଥିଲେ । କାର ସହିତ ଚାଳକ ଏବଂ ବାପାଙ୍କୁ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟକୁ ନିଆଯାଇଥିଲା । ସେଠାରେ ଜରିମାନା ଭରିବା ପରେ ଗାଡ଼ି ସହ ନାବାଳକଙ୍କୁ ଛାଡ଼ି ଦିଆଯାଇଥିଲା ।