ପଥରରେ ଛେଚି ହତ୍ୟା ଘଟଣା,୨ ଅଭିଯୁକ୍ତ କୋର୍ଟ ଚାଲାଣ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ମଦ ନିଶାରେ ୨ ଯୁବକ ପଥରରେ ଛେଚି ଜଣଙ୍କ ହତ୍ୟା କରିଥିଲେ । ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ ସଇଁନ୍ତଲା ଥାନାରେ ରଖି ପଚରାଉଚୁରା ଜାରି ରହିଥିଲା । ଶେଷରେ ୨ଜଣ ମିଶି ହତ୍ୟା କରିଥିବା ସ୍ୱୀକାର କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗତ ୨୧ ତାରିଖ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ଫାଣ୍ଡି ଦେଓଗାଁରେ ଦେଖିବାକୁ ମିଳିଥିଲା । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୧ ତାରିଖ ବିଳମ୍ବିତ ରାତିରେ ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠୀକେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ(୨୯)ଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ପୁଲିସ ଏହାର ତଦନ୍ତ ଜାରି ରଖିଥିଲା । ତେବେ ଘଟଣାରେ ସମ୍ପୃକ୍ତ ଥିବା ନେଇ ଉକ୍ତ ଗାଁର ୨ ଅଭିଯୁକ୍ତ ଦେବାଶିଷ ବେଟକା ଓ ନକୁଲ ନାଗଙ୍କୁ ସଇଁନ୍ତଲା ଥାନାରେ ଅଟକ ରଖି ପଚରାଉଚୁରା କରିଥିବାବେଳେ ଘଟଣାରେ ୨ଜଣ ସମ୍ପୃକ୍ତ ଥିବା ନେଇ ଜଣା ପଡ଼ିଥିଲା । ଏନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସଇଁନ୍ତଲା ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଥିଲେ ।